ଭାଇରାଲ୍ ହେଲା ଯୁବତୀଙ୍କ ଭିଡ଼ିଓ : ବ୍ୟୁଟି ପାର୍ଲର ଯାଇଥିଲେ ମୁହଁରେ ଅଧିକ ଚମକ ଆଣିବା ପାଇଁ, ହେଲେ ଜଳିଗଲା ପୁରା ମୁହଁର ଚମଡ଼ା

ବ୍ୟୁଟି ପାର୍ଲରକୁ ସାଧାରଣତଃ ଯୁବତୀମାନେ ନିଜ ରୂପରେ ଆହୁରି ଅଧିକ ଚମକ ଆଣିବା ପାଇଁ ଯାଆନ୍ତି । ହେଲେ ଜଣେ ଯୁବତୀ ବ୍ୟୁଟି ପାର୍ଲରକୁ ଯାଇ ଯାହା ଅନୁଭୁତି ସାଉଁଟିଲେ ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପାର୍ଲରରେ ନିଜ ମୁହଁରେ ଫେସିଆଲ୍‌ କରାଇବା ପରେ ତାଙ୍କ ମୁହଁର ଚମଡ଼ା ଜଳି ଯାଇଥିଲା । ତେବେ ଯୁବତୀ ଜଣକ ନିଜର ଏହି ଦୁଃଖଦ ଅନୁଭୁତିକୁ ସୋସିଆଲ‌ ମିଡ଼ିଆରେ ଶେୟାର‌ କରି ଅନ୍ୟମାନଙ୍କୁ ସାବଧାନ କରାଇଛନ୍ତି ।

ସୂଚନା ଅନୁସାରେ ଏହି ଘଟଣା ଆଇ.ଆଇ.ଟି. ଗୁଆହାଟୀରୁ ଇଞ୍ଜିନିଅରିଂ ପାସ୍‌ କରିଥିବା ଆସାମ ବାସିନ୍ଦା ଯୁବତୀ ଡଃ ବିନିତା ନାଥଙ୍କ ସହିତ ଘଟିଛି । ସେ ଇଟାଲୀରେ ରୁହନ୍ତି ଓ ସେଠାରେ ପୋଷ୍ଟ-ଡକ୍ଟରାଲ୍‌ ରିସର୍ଚ୍ଚ କରୁଛନ୍ତି । ନିଜ ନଣନ୍ଦର ବାହାଘର ପାଇଁ ସେ ଭାରତକୁ ଫେରିଥିଲେ ଓ ବିବାହ ପ୍ରସ୍ତୁତି ସ୍ୱରୂପ ସିଲଚରରେ ଏକ ବ୍ୟୁଟି ପାର୍ଲରକୁ ଯାଇ ଫେସିଆଲ୍‌ କରାଇଥିଲେ ।

ତେବେ ଯୁବତୀଙ୍କ କହିବାନୁଯାୟୀ ବ୍ୟୁଟି ପାର୍ଲରରେ ତାଙ୍କ ମୁହଁରେ ଯେତେବେଳେ କ୍ରିମ୍ ବ୍ୟବହାର କଲେ ତାଙ୍କୁ ଅନୁଭବ କଲେ ସତେ ଯେମିତି କେହି ଜଣେ ତାଙ୍କ ଚମଡ଼ା ଉପରେ ଗରମ ତେଲ ଢାଳୁଛି । ସେ ଯନ୍ତ୍ରଣାରେ ଚିତ୍କାର କଲେ ଏବଂ ଥେରାପିକୁ ସେଇଠୁ ଅଟକାଇ ଥିଲେ । ଦେଖାଗଲା ଯେ ତାଙ୍କ ମୁହଁ ଚମଡ଼ାର ଗୋଟିଏ ସ୍ତର ବାହାରି ଯାଇଥିଲା । ବ୍ୟୁଟି ପାର୍ଲରର କର୍ମଚାରୀମାନେ ସଙ୍ଗେ ସଙ୍ଗେ ତାଙ୍କ ମୁହଁରେ ବରଫ ଲଗେଇଥିଲେ, ହେଲେ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା ।

ସୋସିଆଲ ମିଡ଼ିଆ ଫେସବୁକରେ ଏକ ଭିଡ଼ିଓ ଶେୟାର କରିବା ସହିତ ଫଟୋ ଦେଇ ଡାକ୍ତର ବିନିତା ନାଥ ଲେଖିଛନ୍ତି ଯେ ମୁଁ ସାଧାରଣତଃ ପାର୍ଲରକୁ ଯାଏ ନାହିଁ । କେବେ ଥ୍ରେଡିଂ ବି କରାଇନି । ଯେତେବେଳେ ସେଠାରେ ପାର୍ଲରକୁ ଗଲି, ସେଠାକାର କର୍ମଚାରୀମାନେ କହିଲେ ଯେ ମୋ’ ମୁହଁରେ କିଛି ବାଳ ରହିଛି ଏବଂ ଯଦି ମୁଁ ଥ୍ରେଡିଂ କିମ୍ବା ୱାକ୍ସିଂ ନକରାଉଛି ତେବେ ବ୍ଲିଚ୍ କରାଯାଇପାରେ । ମୋ ଚମଡ଼ା ପାଇଁ ଡି-ଟାନ୍ ଫେସିଆଲକୁ ଉପଯୁକ୍ତ ବୋଲି କହି ସେମାନେ ମୋ ମୁହଁରେ କିଛି ବୋଳିବା ଆରମ୍ଭ କଲେ । ଶେଷରେ ମୁଁ ରାଜି ହୋଇଥିଲି, ହେଲେ …

ସେ ଆହୁରି କହିଛନ୍ତି ଯେ ମାଣୁଛି ଏହା ବିବ୍ରତ କରାଇବା ପରି ପୋଷ୍ଟ । ମାତ୍ର ସିଲଚରର ଶାରଦା ବିୟୁଟି ପାର୍ଲର ବିଷୟରେ ବନ୍ଧୁମାନଙ୍କୁ ତଥା ଅନ୍ୟ ସମସ୍ତଙ୍କୁ ମୁଁ ଅବଗତ କରାଇବା ଉଦ୍ଦେଶ୍ୟରେ ଏ ପୋଷ୍ଟ । ସେଠାକାର କର୍ମଚାରୀମାନେ ପୂରା ଅନପ୍ରଫେସନାଲ୍‌ । ସିଲଚରର ପ୍ରଥମ ଲିଙ୍କ ରୋଡ଼ର ଏଣ୍ଟ୍ରାନ୍ସରେ ଏହି ପାର୍ଲର ଅଛି । ସେମାନେ ମୋତେ ଏକ ଭୟଙ୍କର ହରର୍‌ ଫିଲ୍ମ ଷ୍ଟାର୍‌ କରିଦେଲେ । ସେଠିକି ଯିବା ପୂର୍ବରୁ ଦୁଇ ଥର ଭାବିବେ ।

ସେପଟେ ବିନିତାଙ୍କ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଶାରଦା ପାର୍ଲରର ମାଲିକ ଦୀପ ଦେବ ରୟ ଓଲଟି ବିନିତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ ଯାହା ହେଲା ସେଥିପାଇଁ ସେ ଦୁଃଖିତ, ମାତ୍ର ପାର୍ଲରର କର୍ମଚାରୀମାନେ ବିନିତାଙ୍କୁ ଡି-ଟାନ୍ ଫେସିଆଲ୍‌ ପରେ ବ୍ଲିଚ୍ ନ କରିବାକୁ ଅନୁରୋଧ କରିଥିଲେ ହେଁ ସେ ଜିଦ୍ ଧରିଥିଲେ ।

Leave a Reply

Your email address will not be published. Required fields are marked *