ପୁରୁଷଙ୍କ ପ୍ରତି ଘୃଣା ପତ୍ନୀକୁ ଅମଣିଷ କରିଦେଲା : ସ୍ଵାମୀକୁ ମାରି ହାତ, ଗୋଡ଼, ମୁଣ୍ଡ ଖଣ୍ଡଖଣ୍ଡ କରି ସ୍ଵରେଜକୁ ଫିଙ୍ଗିଦେଲା

ସମାଜରେ ବିଭ୍ରାନ୍ତି ବଢିବଢି ଚାଲିଛି । ବିକାଶ ଓ ସ୍ଵାଧୀନତା ନାଁରେ ପ୍ରକୃତି ବିରୋଧରେ ମଣିଷ ତୀବ୍ର ଗତିରେ ଆଗେଇ ଚାଲିଛି । ତେବେ ଏପରି ପ୍ରତିକୂଳ ସୁଅରେ ସମାଲିଙ୍ଗି ପରି ଏକ ବ୍ୟବସ୍ଥାକୁ ଆଇନ ସ୍ଵୀକୃତୀ ଦେଇଥିବା ସ୍ଥଳେ ରାଜସ୍ଥାନର ଯୋଧପୁରରୁ ଆସିଛି ଏକ ଅଭାବନୀୟ ଘଟଣାର ଖବର । ସ୍ଵରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଏକ ମୃତଦେହ ଖଣ୍ଡବିଖଣ୍ଡିତ ହୋଇ ଭାସୁଥିବା ଖବର ଯେତିକି ଆଚମ୍ବିତ କରୁନି ସେତିକି ହତୋତ୍ସାହିତ ମଧ୍ୟ କରୁଛି ।

ସୂଚନା ଅନୁଯାୟୀ ମୃତକଙ୍କ ନାମ ଚରଣ ସିଂ । କଟା ହାତ, କଟା ଗୋଡ଼ ଏବଂ କଟା ମୁଣ୍ଡକୁ ଦେଖିଲେ କେହି କଳ୍ପନା ବି କରିପାରିବେ ନାହିଁ ଯେ ଜଣେ ମହିଳା ଏଭଳି ବୀଭତ୍ସ ଭାବରେ ହତ୍ୟା କରିଥାଇ ପାରେ ! ଗୁରୁତ୍ଵପୂର୍ଣ୍ଣ କଥା ଯେ ମୃତକ ଜଣକ ଥିଲେ ସ୍ଵାମୀ ଓ ଅଭିଯୁକ୍ତ ହେଲେ ତାଙ୍କରି ପତ୍ନୀ । ଦୋଷ କେବଳ ସ୍ଵାମୀ ଥିଲେ ଜଣେ ପୁରୁଷ ଏବଂ ପତ୍ନୀ ପୁରୁଷମାନଙ୍କୁ ଖୁବ୍ ଘୃଣା କରୁଥିଲେ ।

ତେବେ ଘଟଣାଟି ଏହିପରି । କିଛିଦିନ ପୂର୍ବରୁ ପତ୍ନୀ ସୀମା ସ୍ଵାମୀ ଘର ଛାଡ଼ି ବାପଘରକୁ ଚାଲିଯାଇଥିଲେ । ଚରଣ ସିଂ ବାରମ୍ବାର କହିବା ପରେ ମଧ୍ୟ ସେ ଫେରିବାକୁ ପ୍ରସ୍ତୁତ ନଥିଲେ । ପ୍ରକୃତରେ ପୁରୁଷମାନଙ୍କୁ ଘୃଣା କରୁଥିବା ସୀମା ସମଲିଙ୍ଗୀ ଏବଂ ଅନ୍ୟ ଜଣେ ମହିଳାଙ୍କ ସହିତ ସେ ସମ୍ପର୍କ ରଖିଥିଲେ ଏବଂ ପରୋକ୍ଷରେ ସ୍ଵାମୀଙ୍କଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ । ତେଣୁ ଭଉଣୀମାନଙ୍କ ସହିତ ମିଶି ଚରଣ ସିଂଙ୍କୁ ହତ୍ୟା କରିବାକୁ ଯୋଜନା କଲେ ।

ଯୋଜନା ଅନୁଯାୟୀ ସୀମା ଦିନେ ତାଙ୍କ ସ୍ଵାମୀଙ୍କୁ ଘରକୁ ଡାକିଲେ । ଭଉଣୀମାନେ ଜୁସରେ ମଦ ମିଶାଇ ପିଇବାକୁ ଦେଲେ । ସେତିକିରେ ସରିଲାନି, ତାପରେ ତାଙ୍କୁ ଏକ ଇଞ୍ଜେକ୍ସନ ଦିଆଯାଇଥିଲା ଯାହା ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା । ଚରଣ ସିଂଙ୍କ ମୃତ୍ୟୁ ପରେ ଭଉଣୀମାନେ ମିଶି ତାଙ୍କ ଶରୀରକୁ କଟରରେ କାଟି ପଲିଥିନରେ ଭର୍ତ୍ତି କରି ବିଭିନ୍ନ ସ୍ଵରେଜରେ ଫିଙ୍ଗି ଦେଇଥିଲେ । ଘଟଣା ସାମ୍ନାକୁ ଆସିଲାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ୪ ଜଣ ସନ୍ଦିଗ୍ଧ ଭିଆରାମ, ସୀମା, ପ୍ରିୟଙ୍କା, ବାବିତାଙ୍କୁ ଗିରଫ କରିଥିଲା । ତେବେ ଧରାପଡ଼ିଥିବା ୪ ଜଣ ଯାକ ମିଶି ଚରଣ ସିଂଙ୍କୁ ହତ୍ୟା କରିଥିବା କଥା ସ୍ଵୀକାର କରିଛନ୍ତି ।

Leave a Reply

Your email address will not be published. Required fields are marked *