ସଂସ୍କାର : ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବ ବୋଲି କହି ବିବାହ କରିଥିଲେ ପ୍ରେମୀ ଯୁଗଳ। କିନ୍ତୁ ସାତ ଜନ୍ମ କଣ ସାତ ମାସ ବି ଗଲାନି ସେମାନଙ୍କର ବିବାହ । ଆଉ ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲା ସ୍ୱାମୀ। ଆଉ ଏହି ହତ୍ୟା କାଣ୍ଡ ଘଟାଇବା ପରେ ସ୍ତ୍ରୀର ମର ଶରୀରକୁ ପାହାଡ଼ ତଳକୁ ଫିଙ୍ଗି ଦେଇଥିଲା ପିଚାଶ ସ୍ୱାମୀ।
ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ରିଷି ଗ୍ରାମରେ। ଏହି ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୋଲିସ୍ ସତ ଜାଣିପାରିବା ପରେ ସେ ବ୍ୟକ୍ତି ଜଣକୁ ଗିରଫ କରିଛି। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରି ୨ଜଣଙ୍କୁ ଗିରଫ କରିଛି। ଏହି ଘଟଣା ବାବଦରେ ପୋଲିସ୍ କହିଛି ଯେ ରିଷିଗାଁର ଚିତମନ ଦଳ ଗତ ୮ମାସ ପୂର୍ବେ କୋମନା ବ୍ଲକ୍ ବହଲମୁଣ୍ଡା ଗ୍ରାମର ସୁମିତ୍ରା ଦଳ (୧୮) ଙ୍କୁ ପ୍ରେମ ବିବାହ କରିଥିଲେ। ଗତ ୧୩ ତାରିଖରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ୧୪ ତାରିଖରେ ସୁମିତ୍ରାକୁ ଘରେ ହତ୍ୟା କରି ଶବକୁ ସ୍ଥାନୀୟ ପାହାଡ଼ ତଳକୁ ଚିତମନ ଫିଙ୍ଗି ଦେଇଥିଲା।
ସ୍ଥାନୀୟ ଲୋକମାନେ ମର ଶରୀରକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଆଉ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନୂଆପଡ଼ା ଏସ୍ପି ପ୍ରତ୍ୟୁଷ ଦିବାକର, ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା, ଆଇଆଇସି କୈଳାସ ସେଠୀ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂହ, ଏସ୍ଆଇ ନବଘନ ଗୌଡ଼, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଟିମ୍ ସହିତ ରିଷଗାଁରେ ପହଞ୍ଚି ତଦନ୍ତ କରିଥିଲେ।ଶବକୁ ପୋଲିସ୍ ଉପରକୁ ଆଣି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଚିତମନ ଦଳ ଓ ବାପା ଦ୍ରୋଣ ଦଳ ନାଁରେ କେସ୍ ନଂ ୩୩୫/୨୧ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି।