କରୋନା ଜୀବାଣୁ ଉପରେ ଡେକ୍ସାମେଥାସୋନ ଔଷଧ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସ୍ୱାଗତ କରିଛି । ପ୍ରାୟ ୨୦୦୦ ରୋଗୀଙ୍କ ଉପରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ଡେକ୍ସାମେଥାସୋନ ଔଷଧ ପରୀକ୍ଷା କରାଯାଇଥିଲା ଯେଉଁଥିରେ ଜଣାପଡିଛି ଯେ ଏ ଔଷଧ ଅନେକ ରୋଗୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି ।
ଗବେଷକଙ୍କ କହିବାନୁସାରେ ଡେକ୍ସାମେଥାସୋନ ହେଉଛି ପ୍ରଥମ ଔଷଧ ଯାହା କରୋନା ରୋଗୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହେଇଛି । ବ୍ରିଟେନ ସରକାର ଚିକିତ୍ସା ପାଇଁ ଏ ଔଷଧକୁ ଅନୁମୋଦନ କରିଥିବାବେଳେ ଏହା ଏକ ପୁରୁଣା ଏବଂ ଶସ୍ତା ଔଷଧ । ଅଗ୍ରଣୀ ଗବେଷକ ପ୍ରଫେସର ମାର୍ଟିନ ଲାଣ୍ଡ୍ରେ କହିଛନ୍ତି ଯେ ଯେଉଁଠି ଦରକାର ପଡ଼ିବ ଏଣିକି ବିଳମ୍ବ ନକରି ଏ କରୋନା ରୋଗୀକୁ ଦିଆଯିବ । କିନ୍ତୁ ଲୋକେ ଏହାକୁ ନିଜେ କିଣି ଖାଇବା ଅନୁଚିତ୍ ।

ଏହି ଡେକ୍ସାମେଥାସୋନ ଔଷଧ ବିଶେଷକରି ଭେଣ୍ଟିଲେଟର ଏବଂ ଅକ୍ସିଜେନ ସହାୟତାରେ ରହୁଥିବା ରୋଗୀଙ୍କ ପାଇଁ ଉପକାରୀ । ଯଦିଓ ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କରେ ଏ ଔଷଧ ପ୍ରଭାବ ଏଯାଏଁ ପରୀକ୍ଷଣ ହୋଇନାହିଁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରେଏସସ୍ କହିଛନ୍ତି ଯେ ଏ ହେଉଛି ପ୍ରଥମ ଚିକିତ୍ସା ଯଦ୍ୱାରା ଅକ୍ସିଜେନ ସହାୟତାରେ ତଥା ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁହାର କମେଇ ଦେଇଛି । ଏହା ନିହାତି ଏକ ଖୁସିର ଖବର । ଏଥିପାଇଁ ସେ ବ୍ରିଟେନ ସରକାର, ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏ ଔଷଧର ପରୀକ୍ଷଣରୁ ଜଣାପଡ଼ିଛି ଯେ ଭେଣ୍ଟିଲେଟରରେ ରହୁଥିବା ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ଏକ ତୃତୀୟାଂଶ କମିଛି । ଯେଉଁ ରୋଗୀମାନେ ଅମ୍ଳଜାନ ଯୋଗାଣ ଆବଶ୍ୟକ କରନ୍ତି, ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ଏକ ପଞ୍ଚମାଂଶ କମିଛି । ଗବେଷକମାନେ ଆକଳନ କରିଛନ୍ତି ଯେ ଯଦି ଏହା ପୂର୍ବରୁ ବ୍ରିଟେନରେ ଉପଲବ୍ଧ ଥାଆନ୍ତା, ତେବେ କରୋନାରୁ ୫୦୦୦ ଲୋକଙ୍କୁ ବଞ୍ଚାଇ ହେଇଥାନ୍ତା । ବ୍ରିଟିଶ ମାମଲାର ମୁଖ୍ୟ ଅନୁସନ୍ଧାନକାରୀ ପ୍ରଫେସର ଡ. ପିଟର ହୋର୍ବି କହିଛନ୍ତି ଯେ ଏପର୍ଯ୍ୟନ୍ତ ଡେକ୍ସାମେଥାସୋନ ହେଉଛି ଏକମାତ୍ର ଔଷଧ ଯାହା ମୃତ୍ୟୁ ହାର ହ୍ରାସ କରିବାରେ ସଫଳ ହୋଇଛି ଓ ଏହା ଏକ ବଡ଼ ସଫଳତା ।