ସ୍କ୍ରିନପ୍ଲେ ଲେଖକ ଭାମସି ରାଜେଶ କୋଣ୍ଡାଭେଟୀଙ୍କ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ କରୋନା କାରଣରୁ ମୃତ୍ୟୁ ଘଟିଛି । ଗତକାଲି ଅର୍ଥାତ ଗୁରୁବାର ଦିନ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଖବର ଅନୁଯାୟୀ ଚଳିତ ମାସ ଆରମ୍ଭରେ ଭାମସିଙ୍କ କରୋନା ରିପୋର୍ଟ ପିଜିଟିଭ ଆସିଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତ ସପ୍ତାହ ଧରି ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା ।
ଭାମସିଙ୍କ ମୃତ୍ୟୁ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ ଥିବା ତାଙ୍କର ସହକର୍ମୀଙ୍କୁ ଚକିତ କରିଛି । ଗତ ଏକ ସପ୍ତାହ ଧରି ଭାମସି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ଲାଇଫ୍ ସପୋର୍ଟରେ ଥିଲେ । ଭାମସି ରାଜେଶ ମୁଖ୍ୟତଃ ତେଲୁଗୁ ସିନେ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ୨୦୧୭ ରେ ସେ ହିଟ୍ ଫିଲ୍ମ “ଶ୍ରୀ” ପାଇଁ ସ୍କ୍ରିପ୍ଟ ସଂଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ହିନ୍ଦୀ ଫିଲ୍ମ “ଅମର ଆକବର ଆନ୍ଥୋନୀ” ପାଇଁ ମଧ୍ୟ ସେ ଜଣାଶୁଣା ।

ସୂଚନା ମୁତାବକ ଆଜି ତାଙ୍କ ବାସଭବନରେ ଭାମସୀଙ୍କ ଶବଦାହ କରାଯିବ । ଏହାପୂର୍ବରୁ ୨୩ ସେପ୍ଟେମ୍ବରରେ ପ୍ରସିଦ୍ଧ ହାସ୍ୟ ଅଭିନେତା ଭେନୁଗୋପାଲ କୋସୁରୀ ମଧ୍ୟ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।