ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ସହିତ ପ୍ରତିଷ୍ଠାତା ରାଣା କପୁରଙ୍କ ନାମରେ ସିବିଆଇ ରୁଜୁ କରିଛି ସଙ୍ଗୀନ ଅଭିଯୋଗ । ଯଦିଓ ସେ ଏବେ ଇଡ଼ି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ହେପାଜତରେ ଅଛନ୍ତି ତଥାପି ତଦନ୍ତକାରୀ ସଂସ୍ଥା ମୁମ୍ବାଇରେ ସର୍ଚ୍ଚ ଅପରେସନ୍ କରିବାକୁ ଭାବିଛି । ଡି.ଏଚ୍.ଏଫ୍.ଏଲ୍. ଓ ଡୁ’. ଇଟ୍. ଅର୍ବାନ୍ ଭେଞ୍ଚର୍ସ ନାମରେ ମଧ୍ୟ ଷଡ଼ଯନ୍ତ୍ର, ଠକେଇ ତଥା ଦୁର୍ନୀତି ଆଦି ମାମଲା ରୁଜୁ ହୋଇଛି ।
ଡି.ଏଚ୍.ଏଫ୍.ଏଲ୍. କାଳେ ୟେସ୍ ବ୍ୟାଙ୍କରୁ ଋଣ ନେଇଛି । ତା’ ସହିତ କପୁର ବି ପରିବାର ସାଙ୍ଗରେ ଜଡ଼ିତ ଥିବା ଡୁ’. ଇଟ୍. ଅର୍ବାନ୍ ଭେଞ୍ଚର୍ସକୁ ଠିକ୍ ସେହି ସମୟରେ ମୋଟା ଅଙ୍କର ଧନରାଶି ଦେଇଥିବାର ଅଭିଯୋଗ ଆସିଛି । ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରିବା ପରେ ଧନରାଶିର ପରିମାଣ ୬୦୦ କୋଟି ବୋଲି ଇଡ଼ି ଆକଳନ କରିଛି ।
ଘଣ୍ଟାଏ ଧରି ଚାଲିଥିବା ଶୁଣାଣି ସମୟରେ ଏହି ଅପରାଧର ମୋଟ ଆୟ ୪,୩୦୦ କୋଟି ଟଙ୍କା ଏବଂ ରାଣା କପୁର ଏହି ଘଟଣାରେ ସହଯୋଗ କରିବାକୁ ମନା କରିଦେଇଥିଲେ ବୋଲି ଇଡ଼ିର ଓକିଲ ସୁନୀଲ ଗୋନସାଲଭସ୍ କହିଛନ୍ତି ।
ଅପରପକ୍ଷରେ ରାଣା କପୁର ଏହାକୁ ଖଣ୍ଡନ କରିଛନ୍ତି । ସେ ଲୁହ ବୁହାଇ କୋର୍ଟକୁ ସଫେଇ ଦେଇଛନ୍ତି ଯେ, “ମୁଁ ସେମାନଙ୍କ ସହ ସହଯୋଗ କରିବାକୁ ଚାହୁଁଛି । ପଲକ ନ ଝପକେଇ ଦିନରାତି ସହଯୋଗ କରିବାକୁ ପ୍ରସ୍ତୁତ ଅଛି ।“ ଏହାଛଡ଼ା ତାଙ୍କ ମହକିଲ ଉପରେ ମିଥ୍ୟା ଆରୋପ ଲଗାଯାଇଛି ବୋଲି କପୁରଙ୍କ ଓକିଲ ଜେନ୍ ଶ୍ରୋଫ୍ କୋର୍ଟକୁ କହିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର.ବି.ଆଇ.) ୟେସ ବ୍ୟାଙ୍କକୁ ନିଜ ଅଧୀନରେ ରଖିବା ସହିତ ଅତିବେଶୀରେ ମାସକୁ ୫୦,୦୦୦ ଟଙ୍କା ଉଠାଇ ପାରିବାର ପ୍ରବନ୍ଧକରେ ଜନସାଧାରଣ ଭିତରେ ଦେଖାଯାଇଥିବା ଅସନ୍ତୋଷର ଦାୟୀ ଅଯଥାରେ କପୁରଙ୍କୁ କରୁଛନ୍ତି ବୋଲି କପୁରଙ୍କ ଓକିଲ କୋର୍ଟକୁ କହିଛନ୍ତି ।