ସଂସ୍କାର : ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଏକ ଅଭୁତ ଘଟଣା। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ ଏହି ଦୁଇ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗତକାଲି ଅର୍ଥାତ୍ ୧୯ ନଭେମ୍ବର ଦିନ ହୋଇଥିଲା। ବର୍ଷର ଏହା ଥିଲା ଦ୍ୱିତୀୟ ଚନ୍ଦ୍ରଗ୍ରହଣ , ଯାହାକି ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥିଲା। ଆହୁରି ମଧ୍ୟ, ଏହି ଚନ୍ଦ୍ରଗ୍ରହଣର ଠିକ୍ ୧୫ ଦିନ ପରେ ଅର୍ଥାତ୍ ଆସନ୍ତା ଡିସେମ୍ବର ୪ ତାରିଖରେ ଏକ ସୂର୍ଯ୍ୟ ଗ୍ରହଣ ମଧ୍ୟ ହେବାକୁ ଯାଉଛି।
ନଭେମ୍ବର ୧୯ ତାରିଖରେ ହୋଇଥିବା ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। କାରଣ ପ୍ରାୟ ୫୮୦ ବର୍ଷ ପରେ ଏପରି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିଥିଲା। ଏହି ଚନ୍ଦ୍ରଗ୍ରହଣ ଗତ ୫୮୦ ବର୍ଷ ମଧ୍ୟରେ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ଥିଲା। ଏହି ଚନ୍ଦ୍ରଗ୍ରହଣର ଅବଧି ପ୍ରାୟ ସାଢେ ତିନି ଘଣ୍ଟା ହୋଇଥିବା ବେଳେ ଏହି ଚନ୍ଦ୍ରଗ୍ରହଣ ଭାରତରେ ୧୯ ତାରିଖ ମଧ୍ୟାହ୍ନ ୧୨.୪୮ ରୁ ୪.୧୭ ମିନିଟ୍ ପର୍ଯ୍ୟନ୍ତ ଘଟିଥିଲା।
ଉଲ୍ଲେଖଥାଉ କି, ଏହି ଆଂଶିକ ଚନ୍ଦ୍ରଗ୍ରହଣ କେବଳ ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଦୃଶ୍ୟମାନ ହୋଇଥିଲା। ଏହାପୂର୍ବରୁ ଏହିପରି ଏକ ଦୀର୍ଘ ଆଂଶିକ ଚନ୍ଦ୍ରଗ୍ରହଣ ୧୪୪୦ ମସିହାରେ ହୋଇଥିଲାବେଳେ ଗତକାଲି ଅର୍ଥାତ୍ ୧୯ ନଭେମ୍ବର ୨୦୨୧ ରେ ହେଲା। ପୁଣି ୮ ଫେବୃଆରୀ ୨୬୬୯ ମସିହାରେ ଏହିପରି ଏକ ଦୀର୍ଘ ଚନ୍ଦ୍ରଗ୍ରହଣ ଦେଖାଯିବ। ପ୍ରାୟ ୬୪୮ ବର୍ଷ ପରେ ଏପରି ଚନ୍ଦ୍ରଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ଅବଧି ଅଧିକ ହେବା ଯୋଗୁଁ ଲୋକମାନେ ଦୀର୍ଘ ସମୟ ଧରି ଏହି ଅଦ୍ଭୁତ ସ୍ୱର୍ଗୀୟ ଘଟଣାକୁ ଅନୁଭବ କରିବା ପାଇଁ ସକ୍ଷମ ହେବେ।