ସଂସ୍କାର :- ପ୍ରେମିକାକୁ ସ୍ପିରିଟ୍ ମାରିଲା ପ୍ରେମିକ। ଆଉ ସେହି ସ୍ପିରିଟ୍ ଦେହରେ ଲାଗିବାରୁ ପ୍ରେମିକାର ହେଲା ମୃତ୍ୟୁ। ପ୍ରଥମେ ଯୁବକ ଜଣକ ନିଜର ମିଠା ମିଠା କଥାରେ ଯୁବତୀଙ୍କୁ ଫସାଇଲେ , କିନ୍ତୁ ଦୁହିଁଙ୍କ ମଧ୍ୟରେ ଏମିତି କଣ ହେଲା ଯେ, ପ୍ରେମିକ ଜଣକ ପ୍ରତିଶୋଧ ପରାୟଣ ହୋଇ ନିଜର ପ୍ରେମିକାକୁ ଜୀବନରୁ ମାରିଦେଲା, ଯାହାକି ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚା ଚାଲିଛି।
ତେବେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଗାଁରୁ। ପ୍ରଥମେ ବାହା ହେବା ପାଇଁ ପ୍ରେମିକା ଜିଦ୍ କଲା, କିନ୍ତୁ ବାହା ହେବାକୁ ବାରମ୍ବାର ମନା କରୁଥିଲା ରସିକିଆ ପ୍ରେମିକ। ତେବେ ବାରମ୍ବାର ପ୍ରେମିକା ବାହା ହେବା ପାଇଁ ଜୋର ଦେବାରୁ ପ୍ରେମିକ ଜଣକ ନିଜ ପ୍ରେମିକାର ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଦେଲା। ମୃତ ଯୁବତୀ ଜଣକ ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅଧିନସ୍ଥ କଳମ୍ବ ଗ୍ରାମର ଯୁବତୀ ବୋଲି ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ପ୍ରେମିକ ହେଉଛନ୍ତି ପ୍ରତାପପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ତେବେ ଏହି ଜଘନ୍ୟ କାଣ୍ଡ ପରେ କୃଷ୍ଣଚନ୍ଦ୍ରକୁ ପୋଲିସ ଅଟକ ରଖିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଯାହାକି ପୋଲିସ ସୂତ୍ରରୁ ଜଣାପଡିଛି।
ଖବର ଅନୁଯାୟୀ, ଜୁଲାଇ ୨୭ ତାରିଖ ଅପରାହ୍ନରେ ଯୁବତୀ ଜଣକ ନିଜ ପ୍ରେମିକକୁ ପ୍ରତାପପୁର ନିକଟରେ ଥିବା ଅବ୍ୟବହୃତ ଫ୍ୟାକ୍ର୍ଟି ନିକଟକୁ ଡାକିଥିଲେ। ସେଠାରେ ଯୁବତୀ ଜଣଙ୍କ ବାହା ହେବା ପାଇଁ ଜିଦ୍ କରିବାରୁ ଯୁବକ ଜଣଙ୍କ ରାଗିଯାଇ ନିଜ ଗାଡିରେ ଥିବା ପେଟ୍ରୋଲକୁ ବାହାର କରି ଯୁବତୀଙ୍କ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲା। ଯୁବତୀଙ୍କ ଚିତ୍କାର ଶୁଣିବା ପରେ ପାଖ ବିଲରେ କାମ କରୁଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ପରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନେଇଥିଲେ। ତେବେ ଏହି ସମୟ ମଧ୍ୟରେ ଯୁବତୀଙ୍କ ଶରୀରର ପ୍ରାୟ ୮୦ ରୁ ୯୦ ଭାଗ ଜଳି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୃତ୍ୟୁ ପୂର୍ବରୁ ପୋଲିସ ଆଗରେ ବୟାନ ଦେଇଛନ୍ତି ସଂପୃକ୍ତ ଯୁବତୀ। ଯାହାକି କୃଷ୍ଣଚନ୍ଦ୍ର ପାଇଁ ଅଢୁଆ ହୋଇଛି। ଯୁବତୀ ଜଣକ ପ୍ରାଣତ୍ୟାଗ କରିବା ସମୟରେ ପ୍ରତାପପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ନାମ ନେଇଛି।
ଯୁବତୀ ଜଣକ ପୋଲିସ କୁ ନିଜର ବୟାନରେ କହିଛନ୍ତି ଯେ, ଜଣେ ଯୁବକ ତାଙ୍କୁ ଜାଳି ଦେଇଛି , ସେ ଯୁବକଙ୍କ ଘର ପ୍ରତାପୁର । ଅନ୍ୟପଟେ ଯୁବକଙ୍କ ମୋବାଇଲ୍ ନମ୍ବର ବି ଯୁବତୀ ପୋଲିସକୁ ଦେଇଥିଲେ । ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଛି । ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍ ଜବତ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି।