ଏହି ସ୍ଥାନରେ ଅକସ୍ମାତ ବର୍ଷା ସହିତ ପବନର କରାଳ ରୂପ ନେଇଗଲା ୧୩ ଟା ଜୀବନ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆଗ୍ରା, କନ୍ନୌଜ, ଉନ୍ନାଓ ଏବଂ ଲକ୍ଷ୍ନୌ ଆଦି ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ଶନିବାର ଦିନ ଅଦିନିଆ ଝଡ଼ ଓ ବର୍ଷା ହେବାର ମାତ୍ର କେଇ ଘଣ୍ଟା ଭିତରେ ଅନେକ ସ୍ଥାନ କ୍ଷତିଗ୍ରସ୍ତ ହେବା ସହିତ ଜନଜୀବନ ବି ଯାଇଛି । କନ୍ନୌଜରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉନ୍ନାବରେ ୭ ଜଣ, ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ବର୍ଷା ଝଡ଼ରେ କ୍ଷତିପୂରଣ ବାବଦକୁ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି ଯେଉଁମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲିର ଅକସ୍ମାତ ଏହି ଝଡ଼ତୋଫାନ ବହୁ ସଂଖ୍ୟକ ଗଛ, ବିଦ୍ୟୁତ ଖୁଣ୍ଟି ଓପାଡ଼ି ପକାଇବା ସହିତ ରାସ୍ତା ଉପରେ ଠିଆ ହୋଇଥିବା ଗାଡ଼ିଗୁଡିକୁ ବି ଓଲଟାଇ ପକାଇଛି ।

ଐତିହାସିକ ତାଜମହଲର କିଛି ଅଂଶ ଅର୍ଥାତ୍ ମୁଖ୍ୟ ସମାଧିସ୍ଥଳରେ ଥିବା ମାର୍ବଲ୍‌ ରେଲିଂ ଏହି ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହୋଇଛି ବୋଲି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି । ଏହାସହିତ ପଶ୍ଚିମଦ୍ୱାରରେ ଥିବା ଲାଲ୍‌ ରଙ୍ଗର ସ୍ତମ୍ଭ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ପଛ ଭାଗ ଓ ବଗିଚାରେ ଥିବା ବହୁ ଗଛ ଭାଙ୍ଗିଯାଇଛି ।

ଶନିବାର ସନ୍ଧ୍ୟାରେ ଲକ୍ଷ୍ନୌରେ ୫୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ଗତ ୬୧ ବର୍ଷର ରେକର୍ଡକୁ ଭାଙ୍ଗିଛି । ସୂଚନାଯୋଗ୍ୟ ଯେ ରବିବାର ଓ ସୋମବାର ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ୫୦-୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *