ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଗର୍ଭ ଗୃହରେ କେଉଁ ସ୍ଥପତି ଙ୍କ ମୂର୍ତ୍ତି ସ୍ଥାପିତ ହେବ? ସୁନିଶ୍ଚିତ ହୋଇଛି କିଏ ହେବ ସେ ଭାଗ୍ୟଶାଳୀ ବ୍ୟକ୍ତି।

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସୋସିଆଲ୍ ମିଡିଆ ସାଇଟ୍ Xରେ ଏନେଇ ସୂଚନା ଦେଇଛନ୍ତି ।

ତେବେ କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତିଜଣକ କିଏ .. ପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ସେ ହାତ କାହାର .. ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ।

ଆଦି ଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ବଂୟ ଶ୍ରୀରାମ .. ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ଏ ଆଉ ଏକ ବଡ଼ ଯାତ୍ରା । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ବ୍ୟକ୍ତି ଏବେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତି, ସବୁଠୁ ଚର୍ଚ୍ଚିତ ସ୍ଥପତି ।

ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ଜୀବନ ଦେଇ ଆସିଛନ୍ତି । ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ । ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ । ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସେ ସାମ୍ନାକୁ ଆସିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ହଟ୍ ଫେଭରେଟ୍ ପାଲଟିଥିଲେ ଅରୁଣ । ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣଙ୍କ ହାତର କମାଲ୍ । ଏବେ ତାଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ ଖବର ଶୁଣିବା ପରେ କର୍ଣ୍ଣାଟକ ଓ ତାଙ୍କ ଘରେ ଖୁସିର ଲହରୀ ।

ଏହା କେବଳ ବିଗ୍ରହ ନିର୍ମାଣରେ ସୀମିତ ନୁହେଁ ଶ୍ରୀରାମଙ୍କ ସହ ହନୁମାନଙ୍କ ମିଳନ ସଦୃଶ୍ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ଯେହେତୁ ଅରୁଣ ଯୋଗୀରାଜ କର୍ଣ୍ଣାଟକରୁ ଏବଂ ବିଶ୍ବାସ ରହିଛି ହନୁମାନଙ୍କ ଜନ୍ମ ବି ବର୍ତ୍ତମାନର କର୍ଣ୍ଣାଟକରେ ତେଣୁ ଏହା ଶ୍ରୀରାମଙ୍କ ସହ ହନୁମାନଙ୍କ ସମ୍ପର୍କ ବୋଲି ସେ ଦର୍ଶାଇଛନ୍ତି ।

ରାମଲାଲାଙ୍କ ପାଇଁ ୫ ବର୍ଷୀୟ ବାଳୁତ ଅବତାରର ୩ଟି ବିଗ୍ରହଙ୍କ ମଧ୍ୟରୁ ଗୋଟିଏ ବଛା ଯାଇଛି । ଅରୁଣ ଯୋଗୀରାଜଙ୍କ ନିର୍ମାଣ ହୋଇଥିବା ବିଗ୍ରହ ଲାଗିବ ଗର୍ଭଗୃହରେ ଏବଂ ବାକି ଦୁଇଟିକୁ ମନ୍ଦିରର ଅନ୍ୟ ଯାଗାରେ ସ୍ଥାପନ କରାଯିବ । ଆସନ୍ତା ୨୨ ତାରିଖରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି ।