ସଂସ୍କାର : ଖାଲି ଟଙ୍କା ହିଁ ଟଙ୍କା। ପବନରେ ଉଡୁଛି ଟଙ୍କା। ଆଉ ସେପଟେ ଟଙ୍କା ଗଣି ଗଣି ହତାଶ ହୋଇଗଲେଣି ଆୟକର ବିଭାଗର କର୍ମଚାରୀ। ଏତେ ଟଙ୍କା ଯେ, ଗଣିବାକୁ ପଡୁଛି ବାରମ୍ବାର। କାରଣ ହଡବଡରେ ଟଙ୍କା ଗଣତି ଭୁଲ୍ ହେଇଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ହେଟେରୋ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ବେଳେ।
ଆୟକର ବିଭାଗ ହେଟେରୋ ଫାର୍ମାସ୍ୟୁଟିକାଲ୍ ଗ୍ରୁପ୍ ଉପରେ ଚଢାଉ କରିଛି। କାର୍ଯ୍ୟାଳୟର ସେଲ ବା ଆଲମାରିରେ ନଗଦ ୧୪୨ କୋଟି ଟଙ୍କା ଦେଖି ଆୟକର ବିଭାଗର ହୋସ୍ ଉଡିଯାଇଥିଲା। ଏତେ ଟଙ୍କା ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆହୁରି ଏହି ଟଙ୍କା ମଧ୍ୟରେ ରହିଛି ବିଦେଶୀ ଟଙ୍କା। ଅନ୍ୟପଟେ ଏହି କମ୍ପାନୀ ଅଧିକାଂଶ ଉତ୍ପାଦକୁ ବିଦେଶରେ ରପ୍ତାନି କରେ ଯେମିତିକି ଆମେରିକା, ୟୁରୋପ, ଦୁବାଇ ଏବଂ ଅନ୍ୟ ଆଫ୍ରିକୀୟ ଦେଶ। ତେବେ କମ୍ପାନୀର ୬ଟି ରାଜ୍ୟର ଥିବା ଡିପୋ ଉପରେ ପ୍ରାୟ ୫୦ଟି ସ୍ଥାନରେ ଆୟକର ବିଭାଗ ସର୍ଚ୍ଚ ଅପରେସନ୍ କରିଥିଲା।
ଏହି ସନ୍ଧାନ ସମୟରେ, ଅନେକ ବେଆଇନ ଟଙ୍କା ଜବତ ହେବା ସହିତ କମ୍ପାନୀର ଡିଜିଟାଲ ଉପକରଣ, ପେନ୍ ଡ୍ରାଇଭ୍, ଡକ୍ୟୁମେଣ୍ଟ୍ ଇତ୍ୟାଦି ଅନେକ ଜିନିଷକୁ ଜବତ କରିଛି ଆୟକର ବିଭାଗ। ଯେଉଁଥିରେ ଅନେକ ବେଆଇନ ତଥା କମ୍ପାନୀର କଳାକାରନାମାର ପ୍ରମାଣ ମିଳିଛି, ଯାହା ଜବତ କରାଯାଇଛି। ଏହି ଚଢ଼ାଉ ସମୟରେ ନକଲି ଏବଂ ଅବାସ୍ତବ କମ୍ପାନୀର କ୍ରୟ ବିକ୍ରୟରେ ମଧ୍ୟ ଅନିୟମିତତା କରାଯାଇଥିବା ସୂଚନା ରହିଛି।