କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ କେବଳ ବୃଦ୍ଧି ପାଉନାହିଁ ବରଂ “ତ୍ୱରାନ୍ୱିତ” ହେବାରେ ଲାଗିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୋମବାର ମାର୍ଚ୍ଚ ୨୩ ତାରିଖ ଦିନ ଚେତାବନୀ ଦେଇଛି । ଏହାର ପ୍ରମାଣ ହେଉଛି ଯେ ସାରା ବିଶ୍ଵରେ ମାତ୍ର ୩ ଦିନରେ କରୋନାଭାଇରସ ସଂକ୍ରମଣର ଏକ ଲକ୍ଷ ନୂତନ ମାମଲା ପଞ୍ଜୀକୃତ ହୋଇସାରିଛି ।
ଜନ୍ ହପକିନ୍ସ ୟୁନିଭରସିଟିର କରୋନାଭାଇରସ ଡାଟାବେସ୍ ଅନୁଯାୟୀ ମଙ୍ଗଳବାର ଦିନ ରାତି ୧୧:୪୦ରେ କରୋନାଭାଇରସ ରୋଗୀଙ୍କ ମୋଟ ସଂଖ୍ୟା ଥିଲା ୪,୦୭,୪୮୫ । ଜନ୍ ହପକିନ୍ସ ୟୁନିଭରସିଟି ୱେବସାଇଟର ଆକଳନରୁ ଜଣାପଡିଛି ଯେ ୨୪ ଘଣ୍ଟା ଭିତରେ ୪୦,୦୨୮ ନୂଆ ମାମଲା ପଞ୍ଜୀକୃତ ହେଇଛି । ପ୍ରାୟ ତିନି ଦିନରେ ଏହି କରୋନାଭାଇରସ ସଂକ୍ରମଣ ୩ ଲକ୍ଷରୁ ବଢି ୪ ଲକ୍ଷ ଟପିଯାଇଛି । ଡାଟାବେସ୍ ଅନୁଯାୟୀ, COVID-୧୯ରେ ଏପର୍ଯ୍ୟନ୍ତ ୧୮,୨୨୭ ଜଣଙ୍କର ମୃତ୍ୟୁ ଘଟିସାରିଛି ।
ସୂଚନା ଅନୁଯାୟୀ ଡିସେମ୍ବର ମାସରେ ଚାଇନାର ୱୁହାନରୁ ଆରମ୍ଭ ହେଇ ଏହି କରୋନାଭାଇରସ ସାରା ବିଶ୍ୱରେ ୧ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିବାକୁ ସମୟ ନେଇଥିଲା ୬୭ ଦିନ । କିନ୍ତୁ ଏହା ପରେ ସଂକ୍ରମଣର ଦ୍ରୁତ ଥିଲା । କାରଣ ଦ୍ୱିତୀୟ ୧ଲକ୍ଷ ମାମଲା ପାଇଁ ଭାଇରସକୁ ଲାଗିଥିଲା ମାତ୍ର ୧୧ ଦିନ । ଆପଣ ଜାଣି ଚକିତ ହେବେ ଯେ ତୃତୀୟ ୧ ଲକ୍ଷ ମାମଲା ପାଇଁ କରୋନାଭାଇରସ ସମୟ ନେଲା କେବଳ ୪ ଦିନ । ଏଥିରୁ ଆପଣମାନେ ଅନୁମାନ କରିପାରୁଥିବେ ଏହାର ଭୟାବହତା ଆଉ କାହିଁକି ଏହାକୁ ମହାମାରୀରେ ନାମିତ କରାଗଲା ।
ଆନୁଷ୍ଠାନିକ ଭାବରେ ଚୀନ ୩୧ ଡିସେମ୍ବର ୨୦୧୯ରେ କରୋନାଭାଇରସ ମାମଲା ଘୋଷଣା କରିଥିଲା । ୬ ମାର୍ଚ୍ଚରେ କରୋନାଭାଇରସ ମାମଲା ୧ ଲକ୍ଷ୍ୟରେ, ୧୭ ମାର୍ଚ୍ଚରେ ୨ ଲକ୍ଷ ଓ ୨୧ ମାର୍ଚ୍ଚରେ ୩ ଲକ୍ଷରେ ପହଞ୍ଚିଥିଲା ଏହା । ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ସମଗ୍ର ବିଶ୍ୱରେ କରୋନାଭାଇରସ ପଜିଟିଭ ରୋଗୀଙ୍କ ସଂଖ୍ୟା କେବଳ ପ୍ରକୃତ ସଂଖ୍ୟାର ସଂକ୍ରମଣର ଏକ ଅଂଶକୁ ଦର୍ଶାଏ, କାରଣ ଅନେକ ଦେଶରେ କେବଳ ଯେଉଁମାନେ COVID-୧୯ ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହେବା ଆବଶ୍ୟକ କରନ୍ତି ।
ଏହି ସମୟରେ, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖପାତ୍ର ମାର୍ଗେଟ୍ ହାରିସ୍ ମଙ୍ଗଳବାର ମାର୍ଚ୍ଚ ୨୪ରେ ଆଶଙ୍କା ପ୍ରକଟ କରିଛନ୍ତି ଯେ ଚୀନ ପରେ ପରେ ହୁଏତ ଆମେରିକା COVID-୧୯ ମହାମାରୀର ନୂତନ କେନ୍ଦ୍ର ହୋଇପାରେ । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି WHO ମୁଖପାତ୍ର କହିଛନ୍ତି ଯେ ଯଦିଓ ୟୁରୋପ କରୋନାଭାଇରସ ବିସ୍ତାରର କେନ୍ଦ୍ର ଅଟେ, କିନ୍ତୁ ଗତ କିଛି ଦିନ ମଧ୍ୟରେ ଆମେରିକା କରୋନାଭାଇରସ ମାମଲାରେ ଏକ ବଡ଼ ଧରଣର ପଞ୍ଜୀକରଣ କରିଛି ।