ଭିଡିଓ : ମାୟାନଗରୀ ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ , ୬ ମୃତ, ୨୫ ଆହତ

ସଂସ୍କାର : ଆଜି ସକାଳେ ମୁମ୍ବାଇରେ ଏକ ୨୦ ତାଲାବିଶିଷ୍ଟ ସୁଉଚ୍ଚ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆଉ ଏହି ଅଗ୍ନିକାଣ୍ଡରେ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟୂନ ୨୫ ଜଣ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ଏହି ଅଗ୍ନିକାଣ୍ଡରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ୧୯ଜଣ ଆହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ମୁମ୍ବାଇର ତାରଦେଓ ଅନ୍ତର୍ଗତ ଗୋୱାଲିଆ ଟ୍ୟାଙ୍କ୍‌ ଅଞ୍ଚଳରେ ଥିବା ଗାନ୍ଧୀ ହସ୍ପିଟାଲ୍‌ ସମ୍ମୁଖରେ ଥିବା ‘କମଳା ବିଲ୍‌ଡିଙ୍ଗ୍‌’ର ୧୮ ମହଲାରେ ସକାଳ ପ୍ରାୟ ୭ଟା ବେଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ମୁମ୍ବାଇର ମେୟର୍‌ କିଶୋରୀ ପେଦ୍‌ନେକର୍‌ ଗଣମାଧ୍ୟମକୁ କହିଛନ୍ତି, ଅକ୍ସିଜେନ୍‌ ଆବଶ୍ୟକ କରୁଥିବା ୬ଜଣ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅଗ୍ନିଶିଖା ନିର୍ବାପିତ ହୋଇଯାଇଥିଲେ ବି ପ୍ରବଳ ଧୂଆଁ ଉଠୁଛି। ସବୁ ଲୋକଙ୍କୁ ଉଦ୍ଧାର କରାଯାଇଛି।

ଘଟଣା ସଂକ୍ରାନ୍ତରେ ସୂଚନା ପାଇଁ ଅଗ୍ନିଶମ କର୍ମଚାରୀ ଏବଂ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ନିକଟସ୍ଥ ଭାଟିଆ ହସ୍ପିଟାଲ୍‌କୁ ନିଆଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଚଳନୀୟ ଥିବାରୁ ସେମାନଙ୍କ ମଧ୍ୟରୁ ୧୨ଜଣଙ୍କୁ ସାଧାରଣ ୱାର୍ଡରେ ଭର୍ତ୍ତି କରାଯାଇଛି। ଜଟିଳ ସ୍ବାସ୍ଥ୍ୟାବସ୍ଥା ଥିବା ୩ଜଣଙ୍କୁ ‘ଆଇସିୟୁ’ରେ ଭର୍ତ୍ତି କରାଯାଇଛି।

ଭାଟିଆ ହସ୍ପିଟାଲ୍‌ର ଜଣେ ଡାକ୍ତର କହିଛନ୍ତି ଯେ, ଦୁଇଜଣ ବ୍ୟକ୍ତିଙ୍କୁ ମୃତାବସ୍ଥାରେ ଅଣାଯାଇଥିଲା।ସେପଟେ ମହାନଗର ନିଗମର ଜଣେ ଅଧିକାରୀ କହିଛନ୍ତି, ନିଆଁ ଲିଭା ଅଭିଯାନରେ ୧୩ଟି ଦମକଳ, ୭ଟି ୱାଟର୍‌ ଜେଟି ବ୍ୟବହୃତ ହୋଇଥିବା ବେଳେ ମୃତାହତଙ୍କୁ ଡାକ୍ତରଖାନା ନେବା ପାଇଁ ଘଟଣାସ୍ଥଳରେ ୫ଟି ଆମ୍ବୁଲାନ୍‌ସ୍‌ ପ୍ରସ୍ତୁତ କରି ରଖାଯାଇଥିଲା। ଏହା ‘ଲେବଲ୍‌-୩’ ପର୍ଯ୍ୟାୟର ଭୟଙ୍କର ଅଗ୍ନିକାଣ୍ଡ ଘଟଣା। ଏବେ ମଧ୍ୟ ନିଆଁ ଲିଭା ଏବଂ ଉଦ୍ଧାର ଅଭିଯାନ ଚାଲିଛି।

Leave a Reply

Your email address will not be published. Required fields are marked *