କର୍ଣ୍ଣାଟକର ମୈସୁରରେ ରହୁଥିବା ଜଣେ ମହିଳା ବିବାହ ପାଇଁ ବିଜ୍ଞାପନ ଦେଇଛନ୍ତି । ସେମିତିରେ ତ ବିଜ୍ଞାପନ ଦେବା ଏକ ସାଧାରଣ କଥା ହେଲେ ଏହା ଖାସ ହେବାର କାରଣ ମହିଳାଙ୍କ ବୟସକୁ ନେଇ । ମ୍ୟାଟ୍ରିମୋନିଆଲ୍ ଆଡଭରଟାଇଜ ମାଧ୍ୟମରେ ଜୀବନସାଥୀ ଖୋଜୁଥିବା ଏହି ମହିଳାଙ୍କ ବୟସ ୭୩ ବର୍ଷ । ସରକାରୀ ଚାକିରିରୁ ଅବସରପ୍ରାପ୍ତ ଏହି ମହିଳାଙ୍କ ନିଷ୍ପତ୍ତି ଏବଂ ଉତ୍ସାହ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକମାନେ କୁହନ୍ତି ଯେ ଏ ବୟସରେ ପୁଣିଥରେ ଘର ବସେଇବା କଥା ନିହାତି ବଡ଼ କଥା ।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ବିଜ୍ଞାପନରେ ମହିଳା କହିଛନ୍ତି ଯେ ମୁଁ ଜଣେ ୭୩ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ । ମୁଁ ଜଣେ ସୁସ୍ଥ ବ୍ରାହ୍ମଣ ବର ଖୋଜୁଛି ଯିଏ ମୋଠାରୁ ବଡ଼ ହୋଇଥିବ । ମୋ ସହିତ ସମୟ ବିତାଇବା ପାଇଁ ମୋର ସାଥୀଟିଏ ଦରକାର । ଖବରକାଗଜରେ ପ୍ରକାଶିତ ଏହି ବିଜ୍ଞାପନ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେଉଛି । ଲୋକମାନେ ବିଭିନ୍ନ ଉପାୟରେ ପ୍ରତିକ୍ରିୟା କରୁଛନ୍ତି । କେହି କେହି ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତ କେହିକେହି ଠକାମିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

ତେବେ ମହିଳା ଜଣକ କିନ୍ତୁ ବୟସର ଅପରାହ୍ନରେ ନିଜକୁ ଏକାକୀ ମନେ କରୁଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପରିବାରରେ କେହି ନାହାଁନ୍ତି । ସେ ପୂର୍ବରୁ ତାଙ୍କ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇ ସାରିଛନ୍ତି ଏବଂ ପିତାମାତାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି । ମହିଳାଙ୍କ କହିବାନୁସାରେ ତାଙ୍କୁ ଏକୁଟିଆ ଡର ଲାଗୁଛି । ତେଣୁ ସେ ଜୀବନସାଥୀ ଖୋଜିବା ଆରମ୍ଭ କରିଛନ୍ତି ଯଦ୍ଵାରା ବାକି ଜୀବନ ଅନୁଭୂତି ବାଣ୍ଟି ବିତେଇପାରିବେ ।
ଏହାସହିତ ମହିଳା ଜଣକ ଆହୁରି ବି କହିଛନ୍ତି ଯେ ତାଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ବିବାହରେ ମିଳିଥିବା ଦୁଃଖ ପରେ ଛାଡ଼ପତ୍ରର ଯନ୍ତ୍ରଣା ହେତୁ ସେ ଦ୍ୱିତୀୟ ବିବାହ ବିଷୟରେ ଚିନ୍ତା କରି ପାରିନଥିଲେ । କିନ୍ତୁ ତାଙ୍କ ବୟସର ଶେଷ ପର୍ଯ୍ୟାୟରେ, ସେ ସାଥୀଙ୍କ ଆବଶ୍ୟକତା ଅନୁଭବ କରୁଛନ୍ତି । ଯାହା ସହ ସେ ତାଙ୍କ ସୁଖ ଏବଂ ଦୁଃଖ ବାଣ୍ଟିପାରିବେ । ଏକ୍ଲାପଣ ଦୂର କରିବାକୁ କାହା ସହିତ କଥା ହୋଇପାରିବେ ।
ମହିଳାଙ୍କ ଏହି ସାହସିକ ପଦକ୍ଷେପକୁ ଯୁବପିଢିରେ ଖାସ କରି ପସନ୍ଦ କରାଯାଉଛି । ସେମାନେ ବିଶ୍ୱାସ କରନ୍ତି ଯେ ୭୩ ବର୍ଷ ବୟସରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରି ମହିଳା ସମାଜର ସାଂସ୍କୃତିକ ଭାବନାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । ଏଥିସହିତ କାର୍ଯ୍ୟକର୍ତ୍ତା ରୂପା ହାସନ କହିଛନ୍ତି ଯେ ମହିଳା ଜଣକ ଅତି ସତର୍କତାର ସହିତ ଆଗେଇବା ଉଚିତ, କାରଣ ଅପରାଧୀମାନେ ସେମାନଙ୍କ ଭାବନା ସହିତ ଖେଳିବା ଦ୍ୱାରା ତାଙ୍କୁ ମଧ୍ୟ କ୍ଷତି ପହଞ୍ଚାଇ ପାରନ୍ତି ।