ଗତକାଲି ରାତିରେ ରାଜସ୍ଥାନ ରାଜ୍ୟର ଟନ୍କ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁସାରେ ଏକ ପରିବାରର ଏହି ସମସ୍ତ ଲୋକ ସିକର ସ୍ଥିତ ଖାଟୁଶ୍ୟାମ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । କୁହାଯାଉଛି ଯେ ଏନ୍ ହେଚ୍-୧୨ରେ ବନାସ୍ ବ୍ରିଜ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଜିପ୍ ଆରୋହୀ ସମସ୍ତ ୮ ଜଣଙ୍କୁ ଟ୍ରକଟିଏ ଧକ୍କା ଦେଇଥିଲା ଏବଂ ଘଟଣାସ୍ଥଳରେ ହିଁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପରିବାର ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲା ବାସିନ୍ଦା ବୋଲି କୁହାଯାଉଛି । ରାତି ପ୍ରାୟ ସାଢେ ୨ଟାରେ ଏହି ଘଟଣାର ସୂଚନା ପାଇବା ପରେ ପୋଲିସ-ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ସୂଚନା ଅନୁସାରେ ମୃତକଙ୍କ ଭିତରେ ୪ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା ଏବଂ ୨ ଜଣ ଶିଶୁ ଥିଲେ । ଏହାସହିତ ୪ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରି ଜୟପୁର ପଠାଇ ଦିଆଯାଇଛି ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ନେଇ ସେମାନଙ୍କ ପରିଜନଙ୍କୁ ଜଣାଇ ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଏବଂ ଅପରେଟର ଦୁହେଁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ଜିପ ଡ୍ରାଇଭର ଜୀବିତ ଥିବା ସୂଚନା ମିଳିଛି ଯେତେବେଳେ କି ସେ ବି ଫେରାର ଅଛି ।