ରାସ୍ତା କଡ଼ରେ ଗ୍ୟାସ ପାଇପ ଲାଇନ ବିଛାଇବା କାମ ଚାଲିଥିଲା। ହାଇଡ୍ରା ମେସିନ ବ୍ୟବହାର କରି ଖୋଳା ଯାଇଥିବା ଗାତ ଭିତରେ ଗ୍ୟାସ ପାଇପ ପକାଯାଇଥିଲା । ମାତ୍ର ସନ୍ତୁଳନ ବିଗିଡ଼ି ଯିବାରୁ ରାସ୍ତାରେ ଯାଉଥିବା ଏକ ଘରୋଇ ବସ ଭିତରେ ପାଇପ ପଶିଗଲା । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ଖବର ମୁତାବକ ରାଜସ୍ଥାନର ପାଲି ଜିଲ୍ଲାର ସାଣ୍ଡେରାୱ ନିକଟସ୍ଥ ୧୬୨ ନମ୍ବର ଜାତୀୟ ରାଜପଥରେ ଏକ ଭୟାନକ ଦୁର୍ଘଟଣା ଘଟିଛି ।

ଦୁଇ ମୃତ ବ୍ୟକ୍ତି ଇଟାଲୀ ବାସିନ୍ଦା ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ଦୁଇ ମୃତକଙ୍କ ନାମ ମେନା ଦେବୀ ଦେବାସୀ ଏବଂ ଭମ୍ବର ଲାଲ ପ୍ରଜାପତ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଗତ ମଙ୍ଗଳବାର ଦିନ ହାଇଡ୍ରା ମେସିନ ଦ୍ଵାରା ପାଇପ ଉଠାଯାଇ ଖୋଳା ଯାଇଥିବା ସ୍ଥାନରେ ପକା ଯାଉଥିବା ବେଳେ ମେସିନର ଭାରସାମ୍ୟ ହରାଇଥିଲା ଏବଂ ରାସ୍ତାରେ ଯାଉଥିବା ଏକ ଘରୋଇ ବସ ଭିତରେ ପାଇପଟି ଗୋଟିଏ ପାର୍ଶ୍ଵରେ ପଶି ଆର ପାର୍ଶ୍ଵରେ ବାହାରି ଯାଇଥିଲା । କିଛି ସମୟ ପାଇଁ କ’ଣ ହେଲା କେହି କିଛି ବୁଝି ପାରି ନଥିଲେ ଓ ପରେ ବସ ଭିତରୁ ଯାତ୍ରୀଙ୍କ କାନ୍ଦିବା ସ୍ଵର ଶୁଭିଲା ।
ତେବେ ସ୍ଥାନୀୟ ଲୋକେ ଏହି ଭୟାନକ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ ଓ ଆହତ ଯାତ୍ରୀଙ୍କୁ ସାହାଯ୍ୟ ପାଇଁ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ଏହି ଦୁର୍ଘଟଣାରେ ଯାତ୍ରୀ ଲାଲ ପ୍ରଜାପତଙ୍କର ମୃତ୍ୟୁ ହୋଇଥିବା ବେଳେ ମେନା ଦେବୀ ଦେବାସୀଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଥିଲା । ୧୨ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ଜଣାପଡ଼ିଛି ।