କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ହେବାର ଭୟ ବି ବଢି ଚାଲିଛି । ଏପରି ସମୟରେ ଗତ ଦୁଇଦିନ ଭିତରେ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଘଟୁଛି ଅଭାବନୀୟ ଘଟଣା । ଆଲକହଲିକ୍ ହ୍ୟାଣ୍ଡ ସାନିଟାଇଜର ସେବନ କରି ଅନ୍ୟୁନ ୯ ଜଣ ଲୋକଙ୍କର ମୃତ୍ୟୁ ହେଇସାରିଲାଣି ।
ସୂଚନା ଅନୁଯାୟୀ କୁରିଚେଡୁ ସହରରେ ଘଟିଛି ଏ ଦଃଖଦ ଘଟଣା । ବୁଧବାର ବିଳମ୍ବିତ ରାତିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗତକାଲି ରାତିରେ ଆଉ ଦୁଇ ଜଣ ଏବଂ ଆଜି ସକାଳେ ଅନ୍ୟ ୬ ଜଣଙ୍କର ଆଲକହଲିକ୍ ହ୍ୟାଣ୍ଡ ସାନିଟାଇଜର ସେବନ ଦ୍ଵାରା ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୩ ଜଣ ଭିକାରି ଥିଲାବେଳେ ବାକି ହେଉଛନ୍ତି ସ୍ଥାନୀୟ ବସ୍ତି ବାସିନ୍ଦା ।
ସେମାନେ ଏପରି କାହିଁକି କରୁଛନ୍ତି ଯଦି ପଚରାଯାଏ ତେବେ ଉତ୍ତର ହେଉଛି ମଦର ବିକଳ୍ପ ଭାବି । ଗତ ଦୁଇଦିନ ଭିତରେ ପ୍ରାୟ ୨୦ ଜଣ ଆଲକହଲିକ୍ ହ୍ୟାଣ୍ଡ ସାନିଟାଇଜର ପିଇଥିଲେ ଓ ସେମାନଙ୍କ ମଧ୍ୟରୁ ଏଯାବତ୍ ୯ ଜଣଙ୍କର ମୃତ୍ୟୁ ହେଇସାରିଛି । ମୃତ ବ୍ୟକ୍ତିମାନଙ୍କ ଭିତରେ ୨୫ ବର୍ଷ ବୟସର ଯୁବକ ଥିଲେ, ଥିଲେ ମଧ୍ୟ ୬୫ ବର୍ଷର ବୟସ୍କ । ତେବେ ପ୍ରକାଶମ ଜିଲ୍ଲା ପୋଲିସ ଅଧୀକ୍ଷକ ସିଦ୍ଧାର୍ଥ କୌଶଲଙ୍କ କହିବାନୁଯାୟୀ କରୋନା ପ୍ରସାରକୁ ରୋକିବା ପାଇଁ ହୋଇଥିବା ଲକଡାଉନ ଯୋଗୁ କୁରିଚେଡୁରେ ମଦ ମିଳିବା ସମ୍ଭବ ହେଉନଥିଲା, ଫଳରେ ଲୋକେ ଆଲକହଲିକ୍ ହ୍ୟାଣ୍ଡ ସାନିଟାଇଜର ମଦର ବିକଳ୍ପ ଭାବି ପିଇଥିଲେ ।