ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ତାଙ୍କ ବିଜୟ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିଷୟରେ ପ୍ରଥମ ଥର ପାଇଁ ଦେଇଛନ୍ତି ବୟାନ । କୋଭିଡ଼-୧୯ ମହାମାରୀକୁ ଦୂର କରିବା, ବିଶ୍ୱ ଅର୍ଥବ୍ୟବସ୍ଥାକୁ ପୁଣିଥରେ ସୁସ୍ଥ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ଇଛୁକ । ଏହାସହିତ ଏକ ନିରାପଦ ତଥା ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବଜାୟ ରଖିବା ଭଳି ସମସ୍ତ ଅଂଶୀଦାରିତ ଆହ୍ଵାନର ମୁକାବିଲା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ବୋଲି ମଧ୍ୟ କହିଛନ୍ତି । ସର୍ବୋପରି ବିଡ଼େନ ମୋଦିଙ୍କ ସହିତ ଏକାଠି କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ନଭେମ୍ବର ୩ ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଏହି ବାର୍ତ୍ତାଳାପ ପ୍ରଥମ ଥିଲା ।
ବିଡ଼େନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ସତ୍ତା ହସ୍ତାନ୍ତର ଦଳ କହିଛନ୍ତି ଯେ କୋଭିଡ଼-୧୯ ମହାମାରୀକୁ ଦୂର କରିବା, ଭବିଷ୍ୟତରେ ହେବାକୁ ଥିବା ସ୍ୱାସ୍ଥ୍ୟ ସଙ୍କଟ ସହିତ ମୁକାବିଲା କରିବା, ଜଳବାୟୁ ପରିବର୍ତ୍ତନ ବିପଦକୁ ସାମ୍ନା କରିବା, ବିଶ୍ଵର ଆର୍ଥିକ ଅବସ୍ଥାର ପୁନରୁତ୍ଥାନ ପାଇଁ ପଦକ୍ଷେପ ନେବା, ଦେଶ ତଥା ବିଦେଶରେ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ଏକ ନିରାପଦ ତଥା ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ବଜାୟ ରଖିବା ଭଳି ପଦକ୍ଷେପମାନ ନେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହାତ ମେଳେଇବାକୁ ଆଗ୍ରହୀ । ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଜାରି ବୟାନ ଅନୁଯାୟୀ ବିଡ଼େନ ମୋଦିଙ୍କ ଅଭିନନ୍ଦନ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଆମେରିକାର ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଓ କହିଛନ୍ତି ଯେ ତାଙ୍କର ଏହି ସଫଳତା ଭାରତୀୟ ଆମେରିକି ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ । ଏହି ସମୁଦାୟ ଭାରତ-ଆମେରିକା ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମୋଦି ବିଡ଼େନଙ୍କୁ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।