ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାମାଞ୍ଚଳର ସରକାରୀ କର୍ମଚାରୀ ମଧ୍ୟ ପାଇବେ ବିଏସକେୱାଇ ନବୀନ କାର୍ଡ। କଟକରେ ଫାଇଭ୍-ଟି ଅଧ୍ୟକ୍ଷଙ୍କ ଏହି ବଡ଼ ଘୋଷଣା…

କଟକ ଗସ୍ତରେ ଯାଇ ବଡ ଘୋଷଣା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କହିଛନ୍ତି ଆଗକୁ ସମସ୍ତଙ୍କୁ ମିଳିବ ବିଏସକେୱାଇ୍ ନବୀନ କାର୍ଡର ସୁବିଧା । ଏପରିକି ସରକାରୀ ଚାକିରିଆ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ । ଆଗାମୀ ନିର୍ବାଚନରେ ବିଜେଡିକୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ଆହ୍ୱାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଅନୁମାନ କରାଯାଉଛି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟକାର୍ଡ ବିଜେଡି ଭୋଟ ବ୍ୟାଙ୍କକୁ ବଢାଇବାରେ ସହାୟକ ହେବ ।

ଗ୍ରାମାଚଂଳ ପରେ ସହରାଚଂଳ ଲୋକ ଓ ସରକାରୀ କର୍ମଚାରୀ ପାଇବେ ବିଏସ୍କେୱାଇ ନବୀନ କାର୍ଡ । ପରବର୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ଫେବୃୟାରୀ ମାସ ଶେଷ ସୁଦ୍ଧା କଟକ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଗଡ଼ିବ । ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀମାନେ ଯାତ୍ରା କରିପାରିବେ । ଏପଟେ ଆମ ବ୍ୟାଙ୍କ ଯୋଜନା ଜରିଆରେ କଟକ ଜିଲ୍ଲାର ସବୁ ପଂଚାୟତରେ ବ୍ୟାଙ୍କିଂ ସୁବିଧା ମିଳିବ । କଟକ ବଡ଼ ମେଡ଼ିକାଲର ରୂପାନ୍ତରଣ କରାଯାଇଛି । ସ୍କୁଲ ଓ କଲେଜର ରୂପାନ୍ତରଣ କରାଯାଉଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ।

ଏପଟେ ୨୦୨୪ ନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ଆହ୍ୱାନ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । କଟକ ଜିଲ୍ଲାରେ ବିଜେଡିର ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ଆସନ୍ତା ନିର୍ବାଚନରେ ରେକର୍ଡ ମାର୍ଜିନ୍ରେ ଜିତି ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ବଢାଇବାକୁ ଫାଇଭ-ଟି ଅଧ୍ୟକ୍ଷ ଆହ୍ୱାନ ଦେଇଛନ୍ତି ।

କିନ୍ତୁ ବିଜେଡିର ଏହି ସମାବେଶରେ, ଉପସ୍ଥିତ ନଥିଲେ କଟକ ସାଂସଦ ଭର୍ତୃହରି ମହତାବ । ଏହା ପୂର୍ବରୁ ମେଟ୍ରୋ ପ୍ରକଳ୍ପର ଶୁଭଦେବା ସମୟରେ ମଧ୍ୟ ତ୍ରିଶୁଳିଆ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ଭର୍ତୃହରି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଜିଲ୍ଲା ସଭାପତି । ଦେବାଶିଷ ସାମନ୍ତରାୟ କହିଛନ୍ତି- ସାଂସଦଙ୍କୁ ନିମନ୍ତ୍ରଣ ଯାଇଥିଲା । ହେଲେ ସେ ତାଙ୍କର କୌଣସି କର୍ମବ୍ୟସ୍ତତା ଯୋଗୁଁ ଆସି ପାରିଲେ ନାହିଁ ।

ତେବେ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ଏହି ଗ୍ରସ୍ତ ଦଳୀୟ ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି । ସେପଟେ ପ୍ରଥମଥର ବିଏସ୍କେୱାଇ ନବୀନ କାର୍ଡ ସଂପର୍କରେ ନୂଆ ତଥ୍ୟ ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ଯାହା ବିଜେଡି ଭୋଟ୍ ବ୍ୟାଙ୍କକୁ ଫାଇଦା ଦେବା ଆଶା କରାଯାଉଛି ।