ଦିଲ୍ଲୀରେ କରୋନା ମାମଲା ବଢୁଥିବା ଦେଖି କରୋନା ଜନିତ କଟକଣା ଓ ନିୟମକୁ କଡ଼ାକଡ଼ି କରାଯାଇଛି । ବିନା ମାସ୍କରେ ବାହାରକୁ ବାହାରିଲେ ଓ ଧରାପଡ଼ିଲେ ଚାଲାଣ କଟା ଯାଉଛି । ଏହି ସମୟ ଅନେକ ତର୍କବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଗତକାଲି ମୋତିନାଗର ଅଞ୍ଚଳରେ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ସିଭିଲ ଡିଫେନ୍ସ ଅଫିସର ଅଭିଯୋଗ କରିଛନ୍ତି ଯେ ଦୁଇ ଜଣ ବ୍ୟକ୍ତି ମାସ୍କ ବିନା କାର ଚଳାଉଥିଲେ । ସେ ଯେତେବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେମାନେ ଉକ୍ତ କର୍ମଚାରୀଙ୍କ ଉପରେ କାର ଚଢାଇ ଦେବାକୁ ଚେଷ୍ଟା କରିଥିଲେ । ଏଥିରେ କର୍ମଚାରୀ ଜଣକ ଆହତ ମଧ୍ୟ ହୋଇଛନ୍ତି ।

ପଶ୍ଚିମ ଦିଲ୍ଲୀର କରାମପୁରା ନିକଟ ମୋତିନଗର ଜଙ୍କସନରେ ଏହି ଘଟଣା ଘଟିଛି । ସିଲଭର (ରୂପା) ରଙ୍ଗର ଏକ ମାରୁତି ବ୍ରେଜା କାର ଚଳାଉଥିବା ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବାରୁ ଜଙ୍କସନରେ ନିୟୋଜିତ ସିଭିଲ୍ ଡିଫେନ୍ସ କର୍ମଚାରୀମାନେ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର କାରଟି ସେମାନଙ୍କୁ ଧକ୍କା ଦେଇ ତାଙ୍କ ଉପରେ କାର ଚଢେଇବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଛି । ଏମିତି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।