ଲଣ୍ଡନ : ଚୀନରୁ ଆରମ୍ଭ ହୋଇଥିବା କରୋନାଭାଇରସ ବିଶ୍ୱବ୍ୟାପୀ ବିନାଶ ଘଟାଇ ଚାଲିଛି । ଚୀନ ଏହାକୁ ଅତିକ୍ରମ କରିଥିବାବେଳେ ଅନ୍ୟ ଦେଶ କିନ୍ତୁ ବିଶେଷ କରି ଆମେରିକା, ବ୍ରିଟେନ, ଇଟାଲୀ ଏବଂ ସ୍ପେନ୍ ଏ ଭାଇରସ କବଳରୁ ମୁକୁଳି ପାରୁନାହାନ୍ତି । ଏଭଳି ପରିସ୍ଥିତିରେ କୋରୋନାକୁ ନେଇ ଚୀନର ନିରବତା ପ୍ରାୟ ସମସ୍ତ ଦେଶକୁ ଅତିଷ୍ଠ କରିପକେଇ ଥିଲାବେଳେ ବ୍ରିଟେନ ଚୀନକୁ ଦେଇଛି ଧମକ ।
ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଗୁରୁବାର କହିଛନ୍ତି ଯେ କରୋନାଭାଇରସ ବିଷୟରେ ଚୀନକୁ କେତେଟା ଜଟିଳ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଚୀନକୁ କହିବାକୁ ପଡ଼ିବ କେମିତି ଆରମ୍ଭ ହେଲା ଏ କରୋନାଭାଇରସ ମହାମାରୀ । ଗୁରୁବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେବାବେଳେ ରାବ କହିଛନ୍ତି ଯେ ଏହି ସଙ୍କଟକୁ ଗଭୀର ଭାବରେ ସମୀକ୍ଷା କରିବାକୁ ପଡ଼ିବ । ଚୀନର ୱୁହାନ ସହରରେ କିପରି ଏହି ରୋଗ ଆରମ୍ଭ ହୋଇଥିଲା ତାହା ଜାଣିବା ଆବଶ୍ୟକ । ବୈଦେଶିକ ସଚିବ କହିଛନ୍ତି ଯେ ମହାମାରୀର ପ୍ରାରମ୍ଭିକ ଦିନଗୁଡ଼ିକରେ ଚୀନରେ କ’ଣ ଘଟିଛି ତାହା ବିଶ୍ୱକୁ ଖୋଜିବାକୁ ହେବ ।
ମହାମାରୀର ଉତ୍ପତ୍ତି ସମେତ ସମସ୍ତ ଦିଗ ସମୀକ୍ଷା କରିବାକୁ ବ୍ରିଟେନର ବୈଦେଶିକ ସଚିବ ଜିଦ୍ ଧରିଥିଲେ । ବିଜ୍ଞାନ ଉପରେ ଆଧାର କରି ଏହାକୁ ଏକ ସନ୍ତୁଳିତ ଢଙ୍ଗରେ ସମୀକ୍ଷା କରାଯିବା ଉଚିତ ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ମହାମାରୀ ପରେ ଚୀନ ସହିତ ବ୍ରିଟେନର ବ୍ୟବସାୟିକ ସମ୍ପର୍କ ପୂର୍ବଭଳି ରହିବ ନାହିଁ ।
ସାରା ବିଶ୍ଵରେ ବର୍ତ୍ତମାନ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୪୨ ହଜାର ଅତିକ୍ରମ କରିଛି । ବିଶ୍ଵବ୍ୟାପୀ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୨୧ ଲକ୍ଷ ଅତିକ୍ରମ କରିଥିବାବେଳେ ବ୍ରିଟେନରେ କରୋନା ସଂକ୍ରମଣର ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି ଓ ପ୍ରାୟ ୧୪୦୦୦ ଲୋକ ପ୍ରାଣ ହରାଇ ସାରିଲେଣି ।
ଏହାସହିତ ଆମେରିକାରେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୩୧ ହଜାରରୁ ଅଧିକ ଏବଂ ସ୍ପେନରେ ତାହା ୧ ଲକ୍ଷ ୮୨ ହଜାରରୁ ଅଧିକ ରେକର୍ଡ଼ ହୋଇଛି । ଏପର୍ଯ୍ୟନ୍ତ ୧୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ସ୍ପେନରେ ଯଦିଓ ୭୪ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି ।