ଦିଲ୍ଲୀର ପଶ୍ଚିମ ବିହାରରେ ଥିବା ପୂର୍ବତନ କଂଗ୍ରେସ ନେତା ରାଜକୁମାର ଚୌହାନଙ୍କ ପୈତୃକ ବାସଭବନରୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିବେଦନ ଆସିଛି । ଏ ନିବେଦନ ତାଙ୍କ ନିଜ ଝିଅ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଖବର ପାଇ ସୋମବାର ରାତିରେ ଦିଲ୍ଲୀ ମହିଳା ଆୟୋଗ (ଡିସିଡବ୍ଲୁ) ଏକ ଟିମ୍ ଗଠନ କରି ପୀଡ଼ିତାଙ୍କୁ ଉଦ୍ଧାର କରିଛି ।
ସୂଚନାଥାଉ ଯେ ପିତା ରାଜକୁମାର ଚୌହାନ, ଶିଲା ଦୀକ୍ଷୀତ ସରକାର ସମୟରେ ୪ ଥର ବିଧାୟକ ରହି ସାରିଛନ୍ତି ଏବଂ ଶିଲାଙ୍କ କ୍ୟାବିନେଟରେ ମନ୍ତ୍ରୀ ମଧ୍ୟ ଥିଲେ । ଡିସିଡବ୍ଲ୍ୟୁ ଜାରି କରିଥିବା ବୟାନ ଅନୁସାରେ ‘ଅଭିଯୋଗ କରିଥିବା ନେତାଙ୍କ ଝିଅ, ତାଙ୍କୁ ଘର ଭିତରେ ବନ୍ଦୀ କରାଯାଇଥିବା ଏବଂ ଅନେକ ସମୟରେ ବାପା, ଭାଇ ଦ୍ଵାରା ନିର୍ଦ୍ଦୟ ମାଡ଼ ଖାଇବା କଥା ଉଲ୍ଲେଖ କରିଛନ୍ତି ।’

ପୀଡ଼ିତା ଡିସିଡବ୍ଲୁଙ୍କୁ କହିଛନ୍ତି ଯେ ୧୯୯୯ ମସିହାରେ ସେ ବିବାହ କରିଥିଲେ । ସ୍ୱାମୀଙ୍କ ସହିତ ମତଭେଦ ହେତୁ ବିବାହର ପ୍ରାୟ ୧୦ ବର୍ଷ ପରେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାପାଙ୍କ ଘରେ ରହି ଆସୁଥିଲେ । କିନ୍ତୁ ଏବେ ସେ ତାଙ୍କର ପିତାମାତାଙ୍କ ସହିତ ଆଉ ରହିବାକୁ ଚାହାନ୍ତି ନାହିଁ । ଏହାସହିତ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିବେଦନ ବି କରିଛନ୍ତି ।
ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି । ଏହାସହିତ ପୋଲିସ ସ୍ପଷ୍ଟ କରିଛି ଯେ ଯଦି ପୀଡ଼ିତାଙ୍କ ଅଭିଯୋଗ ପ୍ରମାଣିତ ହୁଏ ତେବେ ନିଶ୍ଚୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।