ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ତୃଣମୂଳ କଂଗ୍ରେସରେ ଇସ୍ତଫା ଦେବା ସଂଖ୍ୟା ସେତିକି ବଢି ଚାଲିଛି । ଶୁକ୍ରବାର ଦିନ ବନ ମନ୍ତ୍ରୀ ରାଜୀବ ବାନାର୍ଜୀ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ତାଙ୍କର ଇସ୍ତଫା ପଠେଇ ଦେଇଛନ୍ତି ।
ନିଜ ଇସ୍ତଫାରେ ରାଜୀବ ଲେଖିଛନ୍ତି ଯେ ପଶ୍ଚିମବଙ୍ଗ ଲୋକଙ୍କ ସେବା କରିବା ତାଙ୍କ ପାଇଁ ଗୌରବର କଥା ଥିଲା । ସେବା ପାଇଁ ଦେଇଥିବା ସୁଯୋଗ ହେତୁ ସମସ୍ତ ପଶ୍ଚିମବଙ୍ଗ ବାସୀଙ୍କୁ ଧନ୍ୟବାଦ । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ମମତାଙ୍କ ଅନେକ ବୈଠକରେ ବନ ମନ୍ତ୍ରୀ ରାଜୀବ ବାନାର୍ଜୀ ସାମିଲ ହୋଇନଥିଲେ । ତେଣୁ ପୂର୍ବାନୁମାନ କରାଯାଉଥିଲା ଯେ ହୁଏତ ସେ ତାଙ୍କ ପଦ ଛାଡ଼ି ପାରନ୍ତି । ଯଦିଓ ସେ ଏପର୍ଯ୍ୟନ୍ତ ଦଳ ସଦସ୍ୟତାରୁ ଇସ୍ତଫା ଦେଇ ନାହାନ୍ତି ।

ସୂଚନାଥାଉ ଯେ ଚଳିତ ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଯାଉଛି । ହେଲେ ତା’ପୂର୍ବରୁ ଲଗାତାର ତୃଣମୂଳ କଂଗ୍ରେସ ନେତା ଇସ୍ତଫା ଦେଇ ଚାଲିଛନ୍ତି । ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇସାରିଛନ୍ତି । କିଛି ଦିନ ପୂର୍ବରୁ ଲକ୍ଷ୍ମୀ ରତ୍ନ ଶୁକ୍ଳା ମଧ୍ୟ ନିଜର ମନ୍ତ୍ରୀପଦ ଛାଡ଼ି ଦେଇଥିଲେ । ତୃଣମୂଳ କଂଗ୍ରେସର ଅନେକ ବିଧାୟକ, ସ୍ଥାନୀୟ ନେତା ଦଳ ଛାଡ଼ି ବିଜେପି ହାତ ଧରି ସାରିଲେଣି ।
ସେପଟେ ଏହି ସପ୍ତାହରେ ହିଁ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ରାଜନୈତିକ ଗସ୍ତ କରିବେ । ତେଣୁ ଅନୁମାନ କରାଯାଉଛି ଯେ ହୁଏତ ଏହି ଅବସରରେ କେହି ଟିଏସସି ନେତା ଭଜପାରେ ସାମିଲ ହୋଇପାରେ ।