ଦେଶରେ ବିଭିନ୍ନ ସହରରେ ପ୍ରାୟ ୫ ନିୟୁତ ଗାଈଗୋରୁ ରାସ୍ତା କଡ଼ରେ ବୁଲୁଥିବା ଦେଖିବାକୁ ମିଳେ । ନିଜର ଭୋକ ମେଣ୍ଟାଇବା ପାଇଁ ସେମାନଙ୍କୁ ବାଧ୍ୟ ହୋଇ ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ ଠାରୁ ଆରମ୍ଭ କରି ଅନ୍ୟ ବର୍ଜ୍ୟବସ୍ତୁକୁ ବି ଖାଇବାକୁ ପଡ଼େ । ତେବେ ହରିୟାଣା ଫରିଦାବାଦରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଫେବୃୟାରୀ ତୃତୀୟ ସପ୍ତାହରେ ଗୋଟିଏ ଗାଈ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଚିକିତ୍ସା ସମୟରେ ତା ପେଟରୁ ବାହାରିଲା ୭୧ କେଜି ଓଜନର ପ୍ଲାଷ୍ଟିକ, ଲୁହା କଣ୍ଟା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ।
ତେବେ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଈକୁ ଯେତେବେଳେ ଡାକ୍ତରମାନେ ଦେଖିଲେ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ ଅଛି । ‘ପିପୁଲ ଫର୍ ଆନିମାଲ୍ସ ଟ୍ରଷ୍ଟ’ ଉକ୍ତ ଗାଈକୁ ଉଦ୍ଧାର କରି ପଶୁ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଦୀର୍ଘ ଦିନ ଧରି ଗାଈ ପେଟରେ ବର୍ଜ୍ୟବସ୍ତୁଗୁଡ଼ିକ ଥିବାରୁ ମା’ ଏବଂ ଛୁଆ ଉଭୟ ସବୁଦିନ ପାଇଁ ଆଖି ବୁଜିଲ ।

ଘଟଣାଟି ଘଟିଥିଲା ଫେବୃଆରୀ ୨୧ ତାରିଖ ଦିନ । ଡାକ୍ତରମାନେ ଦୀର୍ଘ ୪ ଘଣ୍ଟା ଧରି ଗାଈଟିର ଅସ୍ତ୍ରୋପଚାର କରିଥିଲେ ଏବଂ ସମୟ ପୂର୍ବରୁ ଛୁଆଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅଳିଆ ଆବର୍ଜନା ଗାଈର ପେଟ ଭିତରେ ଏମିତି ଭର୍ତ୍ତି ହୋଇଥିଲା ଯେ ପେଟ ଭିତରେ ଛୁଆଟି ବଢ଼ିବାକୁ ଉପଯୁକ୍ତ ସ୍ଥାନ ମଧ୍ୟ ପାଇ ନଥିଲା । ଫଳରେ ପେଟ ଭିତରେ ହିଁ ସେ ଆଖି ବୁଜି ଦେଇଥିଲା । ଏପଟେ ଅସ୍ତ୍ରୋପଚାରର ୩ ଦିନ ପରେ ମା’ ମଧ୍ୟ ପ୍ରାଣ ହରାଇଲା ।
‘ପିପୁଲ ଫର୍ ଆନିମାଲ୍ସ ଟ୍ରଷ୍ଟ’ର ସଭାପତି ରବି ଦୁବେଙ୍କ କହିବାନୁସାରେ ୧୩ ବର୍ଷ କ୍ୟାରିୟର ମଧ୍ୟରେ ମୁଁ କୌଣସି ଗାଈ ପେଟରୁ ଏତେ ପରିମାଣର ବର୍ଜ୍ୟବସ୍ତୁ ଉଦ୍ଧାର ହୋଇଥିବା ଦେଖି ନଥିଲି । ପୂରା ଶକ୍ତି ଲଗାଇ ଗାଈ ପେଟରୁ ଡାକ୍ତର ଏବଂ ସଦସ୍ୟମାନେ ବର୍ଜ୍ୟବସ୍ତୁଗୁଡ଼ିକୁ ବାହର କରିଥିଲୁ । ଏହାପୂର୍ବରୁ ମଧ୍ୟ ଏକଦା ଗୋଟିଏ ଗାଈର ପେଟରୁ ୫୦ କେଜି ଓଜନର ବର୍ଜ୍ୟବସ୍ତୁ ଠାବ କରାଯାଇଥିଲା ।