ସାମାନ୍ୟ କପେ ଚା’ ପାଇଁ ମହାଶିବରାତ୍ରୀ ଦିନ ପତ୍ନୀଙ୍କ ଆତ୍ମହତ୍ୟା !

ଧୈର୍ଯ୍ୟର ଅଭାବ ନା ଦୁର୍ଘଟଣା, ତେବେ ମହାଶିବରାତ୍ରୀ ଦିନ ଚାଲିଗଲା ଜଣେ ମହିଳାଙ୍କ ଜୀବନ । ସାମାନ୍ୟ ଚା’ କପେ ପାଇଁ ରାଜସ୍ଥାନର କୋଟା ଠାରେ ଘଟିଯାଇଛି ଏକ ଅଭାବାନୀୟ ଘଟଣା । ମିଳିଥିବା ଖବର ଅନୁସାରେ ସ୍ୱାମୀ ଚା’ ନପିଇ ଘରୁ ବାହାରକୁ ଚାଲିଗଲେ ବୋଲି ପତ୍ନୀ ନେଲେ ଏଭଳି ଚରମ ନିଷ୍ପତ୍ତି । ତେବେ ପତ୍ନୀଙ୍କ ମୃତ୍ୟୁ ଖବର ପାଇ ସ୍ୱାମୀ ତୁରନ୍ତ ଘରକୁ ଫେରିଲେ ।

ଆରକେପୁର ଥାନାର SI ଜବାହର ଲାଲଙ୍କ କହିବାନୁଯାୟୀ ଦମ୍ପତି କମଲେଶ ଏବଂ ସୁରଜମଲ କୋଟା ସ୍ଥିତ ଶ୍ରୀନାଥପୁରମ-ସି’ ବ୍ଲକରେ ୩ ଜଣ ସନ୍ତାନଙ୍କୁ ନେଇ ରହୁଥିଲେ । ମୃତ ମହିଳାଙ୍କ ସ୍ୱାମୀ ଇଟାଓ୍ୱାରେ ଏକ ଔଷଧ ଦୋକାନ କରିଥିବା ବେଳେ ପ୍ରତି ସପ୍ତାହ କୋଟା ଆସନ୍ତି । ବଡ଼ ଝିଅ ଯୁକ୍ତ ଦୁଇ ଏବଂ ପୁଅ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ସେମାନେ କୋଟାରେ ଥିଲେ । ତେବେ ମୃତଦେହର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ତାହା ହସ୍ତାନ୍ତର କରାଯାଇଥିଲା ।

ତେବେ ଘଟଣାଟି ଏହିପରି ଘଟିଥିଲା । ମହାଶିବରାତ୍ରୀ ପାଇଁ କମଲେଶ ତାଙ୍କ ସ୍ୱାମୀଙ୍କୁ ଡକାଇଥିଲେ ଏବଂ ସୁରଜମଲ ମଧ୍ୟ ବୁଧବାର ଘରେ ପହଞ୍ଚିଥିଲେ । ଜାଗର ପାଇଁ କିଛି ଜରୁରୀ ଜିନିଷ କିଣିବାର ଥିଲା ବୋଲି ସେ ଗୁରୁବାର ଦିନ ସକାଳେ ଦୋକାନକୁ ବାହାରିଲେ । ସେତିକିବେଳେ କମଲେଶ ତାଙ୍କୁ ଚା’ ପିଇ ଯିବା ପାଇଁ କହିଥିଲେ । ହେଲେ ସୁରଜମଲ ଚା’ ନପିଇ ଘରୁ ବାହାରି ଯାଇଥିଲେ ଯେଉଁଥିରେ ପତ୍ନୀ କମଲେଶ ଦୁଃଖି ହେଇଗଲେ । କିଛି ସମୟ ପରେ କମଲେଶ ଗୋଟିଏ କୋଠରୀ କବାଟ ବନ୍ଦ କରି ଝୁଲି ପଡ଼ିଥିଲେ ପଙ୍ଖାରେ ।

ଘରେ ଥିବା ବଡ଼ ଝିଅ କବାଟ ଖଟ ଖଟ କରିଥିଲା ହେଲେ କୌଣସି ଜବାବ ମିଳି ନଥିଲା । ପରେ ଝରକା ଭାଙ୍ଗି ଝିଅଟି କୋଠରୀ ଭିତରକୁ ପଶି ଦେଖେ ତ ଝୁଲୁଥିଲା ମା’ର ମୃତଦେହ । ଏହାପରେ ସେ ତା’ ବାପାକୁ ଖବର ଦେଇଥିଲା ଏବଂ ତୁରନ୍ତ ସୁରଜମଲ ଘରକୁ ଫେରି କମଳେଶଙ୍କୁ ହସ୍ପିଟାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *