ଏଇ ଅଳ୍ପ କିଛି ଦିନ ତଳେ ମୁମ୍ବାଇ ସ୍ଥିତ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା ବେଳେ ପୁଣିଥରେ ସାମ୍ନାକୁ ମଧ୍ୟପ୍ରଦେଶ ଉଜ୍ଜୟିନୀର ଫ୍ରିଗଞ୍ଜରେ ଥିବା ଏକ ଘରୋଇ ହସ୍ପିଟାଲର କୋଭିଡ଼ ୱାର୍ଡରେ ଅଗ୍ନିକାଣ୍ଡ । ଘଟଣାଟି ରବିବାର ଦିନ ଘଟିଥିଲା ଏବଂ ଏହି ଅଗ୍ନିକାଣ୍ଡରେ ୪ ଜଣ ରୋଗୀ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ତେବେ ଘଟଣା ସମୟରେ ହସ୍ପିଟାଲରେ ଉପସ୍ଥିତ ଥିଲେ ୮୦ ଜଣ ରୋଗୀ ।
ମିଳିଥିବା ସୂଚନା ଅନୁସାରେ ସମୁଦାୟ ୮୦ ଜଣ ରୋଗୀଙ୍କ ଭିତରେ କେବଳ ୬୨ ଜଣ ଥିଲେ କୋରୋନା ସଂକ୍ରମିତ । ତେବେ ନିଆଁ ଲାଗିବା ପରେ ଯେନତେନ ରୋଗୀ ମାନଙ୍କୁ ହସ୍ପିଟାଲ ବାହାରକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଟ୍ସର୍କିଟ୍ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି ।
ତେବେ ଫ୍ରିଗଞ୍ଜରେ ଉମାଶଙ୍କର ପାଟିଦାରଙ୍କର ପାଟିଦାର ହସ୍ପିଟାଲ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ନାମକ ଏହି ହସ୍ପିଟାଲଟି ଦୁଇ ମହଲା ବିଶିଷ୍ଟ ଯେଉଁଠାକୁ ସାରା ଜିଲ୍ଲାରୁ ରୋଗୀମାନେ ଆସିଥାନ୍ତି । ଏହା ଏକ ଘରୋଇ ହସ୍ପିଟାଲ ଏବଂ ଘଟଣାଟି ରବିବାର ସକାଳ ପ୍ରାୟ ୧୧.୩୦ ବେଳେ ହସ୍ପିଟାଲର ଉପର ମହଲାରେ ଥିବା କୋଭିଡ଼ ୱାର୍ଡରେ ଘଟିଥିଲା । ମୁତୟନ ଜଣେ ୱାର୍ଡ ବୟ ସେଠାରୁ ଧୂଆଁ ଉଠୁଥିବାର ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ ଏବଂ କେହି କିଛି କରିବା ପୂର୍ବରୁ ପୁରା ହସ୍ପିଟାଲ ଧୂଆଁମୟ ହୋଇଯାଇଥିଲା ।

ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିବା ସହିତ ୨୦ଟି ଆମ୍ବୁଲାନ୍ସ ସହାୟତାରେ ସମସ୍ତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନନ୍ତରଣ କରାଯାଇଥିଲା । ଏହା ଭିତରେ କିନ୍ତୁ ୪ ଜଣ ରୋଗୀ ଗୁରୁତର ହୋଇପଡ଼ିଥିଲେ । ସେପଟେ ଖବର ପାଇ ଅଗ୍ନିଶମ ବିଭାଗର ୪ଟା ଗାଡ଼ି ପହଞ୍ଚିଥିଲା ଘଟଣାସ୍ଥଳରେ ଏବଂ ପ୍ରାୟ ଅଧ ଘଣ୍ଟା ପରେ ନିଆଁ ଆୟତ୍ତାଧିନ ହୋଇଥିଲା ।
ଖବର ଅନୁସାରେ ହସ୍ପିଟାଲରେ ଫାୟାର ଆଲାର୍ମ ସିଷ୍ଟମ ଥିଲାବେଳେ ନିଆଁ ଲାଗିବା ସମୟରେ ତାହା ବାଜି ନଥିଲା । ଏଣୁ ହସ୍ପିଟାଲର ନିରାପତ୍ତା ବ୍ୟବସ୍ଥା ଉପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ।