ସମସ୍ତ ସୃଷ୍ଟି ପ୍ରତି ମାଡ଼ି ଆସୁଛି ବିପଦ : ପୃଥିବୀର ଚୁମ୍ୱକୀୟ କ୍ଷେତ୍ର ଏଣିକି ଓଲଟା ହେବାକୁ ଯାଉଛି

ନୂଆଦିଲ୍ଲୀ: ଆଫ୍ରିକା ଓ ଦକ୍ଷିଣ ଆମେରକା ମଧ୍ୟରେ ପୃଥିବୀର ଚୁମ୍ୱକୀୟ ଶକ୍ତି ହ୍ରାସ ପାଉଥିବା ନେଇ ସୂଚନା ଦେଇଛନ୍ତି ବୈଜ୍ଞାନିକମାନେ । ଦ ଇଣ୍ଡିପେଣ୍ଡେଣ୍ଟର ଏକ ରିପୋର୍ଟ ଅନୁଯାୟୀ ‘ଦକ୍ଷିଣ ଆଟଲାଣ୍ଟିକର ଅନୋମଲି’ ଉପରେ ଚାଲିଛି ଏକ ବୈଜ୍ଞାନିକ ଗବେଷଣା । ଆଫ୍ରିକା ଓ ଦକ୍ଷିଣ ଆମେରିକାର ଚୁମ୍ବକୀୟ ଶକ୍ତି ହ୍ରାସ ପାଉଥିବା ଅଞ୍ଚଳକୁ ‘ଦକ୍ଷିଣ ଆଟଲାଣ୍ଟିକ ଅନୋମଲି’ କୁହାଯାଉଥିବାବେଳେ ଉପଗ୍ରହ ତଥା ମହାକାଶ ଉପରେ ବି ଏହାର ପ୍ରଭାବ ପଡୁଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ESA) ତଥ୍ୟ ଅନୁଯାୟୀ ୧୯୭୦ରୁ ୨୦୨୦ ମଧ୍ୟରେ ‘ଦକ୍ଷିଣ ଆଟଲାଣ୍ଟିକ ଅନୋମଲି’ର ଚୁମ୍ବକୀୟ କ୍ଷମତା ୮ ପ୍ରତିଶତ ହ୍ରାସ ପାଇଛି । ଏମିତିକି ଦଶନ୍ଧି ହେବ ଦକ୍ଷିଣ ଆଟଲାଣ୍ଟିକ୍‌ର ଅନୋମଲିର ପରିସୀମା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବୈଜ୍ଞାନିକମାନଙ୍କ କହିବାନୁଯାୟୀ ପୃଥିବୀର କକ୍ଷ ପଥରେ ଏକ ଉପଗ୍ରହ ରହିଛି, ଯାହା ଦକ୍ଷିଣ ଆଟଲାଣ୍ଟିକ୍‌ରେ ବୃଦ୍ଧି ପାଉଥିବା ଅନୋମଲି ବିଷୟରେ ଅନୁସନ୍ଧାନ କରିବାରେ ସହଯୋଗ କରୁଛି ।

ପୃଥିବୀର ଅବସ୍ଥିତି ସହିତ ତାର ଘୂର୍ଣ୍ଣୀୟମାନ ପଥ ଓ ପରିବର୍ତ୍ତନରେ ଘଟୁଥିବା ପ୍ରକ୍ରିୟାଗୁଡିକୁ ନିରପେକ୍ଷ ଭାବରେ ବୁଝିବା ଏକ ଆହ୍ୱାନ କେବଳ । ଇଏସଏ (ESA) ଅନୁଯାୟୀ ‘ଦୁର୍ବଳ ହେଉଥିବା ଅଞ୍ଚଳଟି ଏହା ସୂଚିତ କରୁଛି ଯେ ପୃଥିବୀର ଚୁମ୍ୱକୀୟ କ୍ଷେତ୍ର ଏଣିକି ଓଲଟା ହେବାକୁ ଯାଉଛି ବୋଲି ଜର୍ମାନ୍‌ ରିସର୍ଚ୍ଚ ସେଣ୍ଟରର ଜିଓସିନସ୍‌ର ବୈଜ୍ଞାନିକ ଜୁରେନ୍ ସୂଚନା ଦେଇଛନ୍ତି ।

‘ଦକ୍ଷିଣ ଆଟଲାଣ୍ଟିକ୍ ଅନୋମଲି’ ଅଞ୍ଚଳରେ ପୃଥିବୀ ପରିକ୍ରମା କରୁଥିବା ସାଟେଲାଇଟ୍‌ରେ ସମସ୍ୟା ସୃଷ୍ଟି ହେଉଥିବା ଜଣାପଡିଛି । ଯାହାଫଳରେ ସେ ଅଞ୍ଚଳରେ ଉଡ଼ୁଥିବା ମହାକାଶଯାନ ମଧ୍ୟ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହିପରି ଘଟଣାର ପରିଣାମ ମହତ୍ୱପୂର୍ଣ୍ଣ, କାରଣ ପୃଥିବୀର ଚୁମ୍ୱକୀୟ କ୍ଷେତ୍ର ଗ୍ରହକୁ ସୌରପବନ ଓ କ୍ଷତିକାରକ ରଶ୍ମିରୁ ରକ୍ଷା କରିଥାଏ ।

Leave a Reply

Your email address will not be published. Required fields are marked *