ଏ ଲକଡାଉନ ସମୟରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେଉଁଠି ଥିଲେ ନେଇ ସୋସିଆଲ ମିଡ଼ିଆରେ ଅନେକ କେନ୍ଦ୍ରାପଡ଼ାବାସୀଙ୍କର ପ୍ରଶ୍ନ । ଗତକାଲି କିନ୍ତୁ ଯେତେବେଳେ ବିମାନ ଉଡ଼ାଣକୁ ଅନୁମତି ମିଳିଲା ଦିଲ୍ଲୀରୁ ଫେରିଛନ୍ତି ଅନୁଭବ ଓ ଭୁବନେଶ୍ଵର ବିମାନବନ୍ଦରରେ ହିଁ ଏକ ସାକ୍ଷାତକାରକୁ ସାମ୍ନା କରିବାକୁ ପଡ଼ିଲା ତାଙ୍କୁ । ଲକଡାଉନ କଟକଣା କୋହଳରେ ପ୍ରଥମେ ଟ୍ରେନ ଚଳାଚଳକୁ ଅନୁମତି ମିଳିଥିଲା ଓ ସେଥିରେ ଅନ୍ୟ ସାଂସଦ ଆସିଥିଲାବେଳେ ସେ କାହିଁକି ଆଜି ଫ୍ଲାଇଟରେ ଆସିଲେ ବୋଲି ବି ପ୍ରଶ୍ନ ଥିଲା ।
ଉତ୍ତର ରଖିବାକୁ ଯାଇ ଅନୁଭବ କହିଛନ୍ତି ଯେ ସେ ପାର୍ଲିଆମେଣ୍ଟରେ ଚାଲିଥିବା ବଜେଟ ଅଧିବେଶନରେ ସଂପୂର୍ଣ୍ଣ ଉପସ୍ଥାପନ ଦେଇଛନ୍ତି । ତାଙ୍କ ପାଇଁ ପ୍ରାଥମିକତା କେନ୍ଦ୍ରାପଡ଼ାବାସୀଙ୍କ ଭରସା ଓ ନବୀନ ସରକାରଙ୍କ ତାଙ୍କ ଉପରେ ଥିବା ବିଶ୍ଵାସ । ରାଜ୍ୟବାସୀଙ୍କ ବିକାଶ ଓ ଜିଲ୍ଲା ପାଇଁ ଉନ୍ନତି ବିଷୟରେ ଆଲୋଚନା ପାଇଁ ବଜେଟ ଅଧିବେଶନର ଶେଷ ଦିନ ଯାଏଁ ସେ ଥିଲେ ଓ ଅଚାନକ ଲକଡାଉନ ଘୋଷଣା ହେଲା । ସେତେବେଳେ ଫେରିବାର କୌଣସି ମାଧ୍ୟମ ନଥିଲା ତାଙ୍କ ପାଖରେ ।
ସାକ୍ଷାତକାରରେ ଯେତେବେଳେ ଅନୁଭବଙ୍କ ସାମ୍ନାରେ ପ୍ରଶ୍ନ ଆସିଲା ଯେ ଜଣେ ଲୋକପ୍ରତିନିଧି ହେଇ ବି କରୋନା ମହାମାରୀ ସ୍ୱାସ୍ଥ୍ୟ ସଙ୍କଟ ହେଉକି ଅମ୍ଫନ ଭଳି ପ୍ରାକୃତିକ ଦୁର୍ବିପାକ, ଜନସାଧାରଣଙ୍କ ବିପତ୍ତି ବେଳେ ଆପଣ କଉଠି ଥିଲେ । ଯେଉଁମାନେ ତାଙ୍କୁ ଭୋଟ ଦେଇ ଏ ପଦବୀ ଦେଲେ ତାଙ୍କ ଅସୁବିଧା ସମୟରେ ସେ କାହିଁକି ସେମାନଙ୍କ ପାଖରେ ନଥିଲେ । ଉତ୍ତରରେ ଅନୁଭବ କହିଲେ ଯେ ଏହା ମୋ କେନ୍ଦ୍ରାପଡ଼ାବାସୀଙ୍କ କ୍ଷୋବ ନୁହେଁ ବରଂ ଗୁଜବକୁ ନେଇ ରଚିତ କାହାଣୀ ଯାହା ବିଷୟରେ ମୋର କିଛି କହିବାର ନାହିଁ ।
ସାଂସଦ ପୂର୍ବରୁ ମୁଁ ବି ଜଣେ ନାଗରିକ ଓ ଏ ଲକଡାଉନ ସମୟରେ ଗାଇଡଲାଇନ ଉଲଂଘନ ନକରିବା ମୁଁ ଉଚିତ ମନେ କଲି । ଯଥାସମ୍ଭବ ସୋସିଆଲ ମିଡ଼ିଆରେ ଜନତାଙ୍କୁ ନିବେଦନ କରିଥିଲି ଯେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସରକାରଙ୍କ କଥା ମାନନ୍ତୁ ଓ ଧୈର୍ଯ୍ୟ ଧରନ୍ତୁ । କଟକଣା କୋହଳ ହେଲାପରେ ହରିୟାନାରୁ ପ୍ରବାସୀଙ୍କୁ ଆଣିବାର ବ୍ୟବସ୍ଥା କରିଥିଲି । ଏବେ କେରଳରୁ ବି ପ୍ରାୟ ୨୦୦ ପ୍ରବାସୀ ଆସିବେ । ଦିଲ୍ଲୀରେ ବି ଲକ୍ଷ ଲକ୍ଷ ଓଡ଼ିଆ ପ୍ରବାସୀ ଅଛନ୍ତି ଓ ମୁଁ ସମର୍ଥମତେ ସେମାନଙ୍କୁ ସାହାଯ୍ୟ ଯୋଗାଇଛି । ଦୁଇ ଓଳି ରନ୍ଧା ଖାଦ୍ୟ ପହଞ୍ଚାଇବାକୁ ଚେଷ୍ଟା ସହିତ ଗ୍ରୋସରି ବି ସହଯୋଗ କରିଛି ବୋଲି ସ୍ପଷ୍ଟ କହିଛନ୍ତି ସାଂସଦ ଅନୁଭବ ।
ଅମ୍ଫନ ସମୟରେ ବି ଜିଲ୍ଲା ମାଜିଷ୍ଟେଟ, ରାଜ୍ୟ ସରକାର ତଥା ଡିଜାଷ୍ଟର ମ୍ୟାନେଜମେଣ୍ଟ ସହିତ ମୁଁ ବରାବର ଯୋଗାଯୋଗରେ ଥିଲି । ନିଜକୁ କାହା ସହିତ ତୁଳନା କରିବାକୁ ଚାହୁଁନି ଓ ମୁଁ ପୁରା ଆଇନକାନୁନ ମାନି ଆସି ଭୁବନେଶ୍ଵରରେ ପହଞ୍ଚିଛି । ଯେତେବେଳେ ଆମ ପ୍ରଧାନମନ୍ତ୍ରୀ ବି କହୁଛନ୍ତି ଯେ ସାମାଜିକ ଦୂରତା ପାଳନ କର ସେ ସମୟରେ ମୁଁ ନିୟମ ଉଲଂଘନ କରି ମୋ ଜିଲ୍ଲାବାସୀଙ୍କୁ ଅସୁବିଧାରେ ପକାଇବାକୁ ଇଚ୍ଛୁକ ନୁହେଁ । ତାଛଡ଼ା ମୋତେ ପ୍ରଚାର ପ୍ରସାର ଭଲ ଲାଗେନି ବୋଲି କହିଛନ୍ତି ଖୋଦ ଅନୁଭବ ମହାନ୍ତି ।