ଗୋରଖପୁର ନିକଟ ଏକ ଗ୍ରାମରେ ବହୁ ସଂଖ୍ୟାରେ ବାଦୁଡ଼ିମାନଙ୍କ ମୃତଦେହ ମିଳିଛି । ବାଦୁଡ଼ିରୁ ଆରମ୍ଭ ହୋଇଥିବା କରୋନାଭାଇରସର ବ୍ୟାପକ ପ୍ରସାର ମଧ୍ୟରେ ଗୋରାଖପୁରର ଗୋଲା ପାଖ ଏକ ଗାଁରେ ବହୁ ସଂଖ୍ୟାରେ ବାଦୁଡ଼ିଙ୍କ ମୃତଦେହ ମିଳିବା ପରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଭୀଷଣ ଖରା ତାତି ଯୋଗୁ ଏପରି ହୋଇଥାଇପାରେ ବୋଲି ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ ତରଫରୁ କଠାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ।
ବରେଲିରେ IVRI ଦ୍ଵାରା ପରୀକ୍ଷଣ ପରେ ଉତ୍ତାପ ଯୋଗୁଁ ଉକ୍ତ ବାଦୁଡ଼ିମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ବୋଲି ବିଭାଗୀୟ ବନ ଅଧିକାରୀ ଅବିନାଶ କୁମାର ଶୁକ୍ରବାର ଦିନ କହିଛନ୍ତି । ସୂଚନା ପାଇବା ପରେ ପୋଲିସ ଏବଂ ଜଙ୍ଗଲ ବିଭାଗ ଦଳ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟମର୍ଟମ ପାଇଁ ବାଦୁଡ଼ିଙ୍କ ନମୁନା ନେଇଥିଲେ । ବିଭାଗୀୟ ବନ ଅଧିକାରୀ ଅବିନାଶଙ୍କ କହିବାନୁଯାୟୀ ଏପର୍ଯ୍ୟନ୍ତ IVRI ପରୀକ୍ଷା ରିପୋର୍ଟ ତାଙ୍କୁ ମିଳିନି ସତ କିନ୍ତୁ ସେ ବାଦୁଡ଼ିଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଡାକ୍ତରଙ୍କ ସହ କଥା ହୋଇଥିଲେ ।

IVRI ର ଡାକ୍ତର କହିଛନ୍ତି ଯେ ବାଦୁଡ଼ି ନମୁନାଗୁଡ଼ିକର ଉଭୟ କରୋନା ଏବଂ ରେବିଜ ପରୀକ୍ଷା ରିପୋର୍ଟ ନେଗେଟିଭ ଏବଂ ବାଦୁଡ଼ିମାନଙ୍କ ମୃତ୍ୟୁର କାରଣ ଅଂଶୁଘାତ । ଏମିତିକି ଅସହ୍ୟ ଗରମ ସହି ନପାରି ଅନେକ ବାଦୁଡ଼ି ଗଛରୁ ଖସି ପଡ଼ିଥିଲେ ଏବଂ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁ ବି ସେମାନଙ୍କ ମୃତ୍ୟୁର ହୋଇଛି ବୋଲି କୁମାର କହିଛନ୍ତି ।
ସୋମବାର ଗୋରଖପୁରରେ ଦିନର ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଥିବାବେଳେ ସେହି ଅଞ୍ଚଳର ପୋଖରୀ ଏବଂ ଛୋଟ ହ୍ରଦ ପରି ଜଳାଶୟ ଶୁଖି ଯାଇଛି । ବିଭାଗୀୟ ବନ ଅଧିକାରୀ କହିଛନ୍ତି ଯେ ପ୍ରକୃତରେ ଉତ୍ତାପ ଯୋଗୁଁ ସେମାନଙ୍କର ଚର୍ମ ଜଳି ଯାଇଥିଲା ଏବଂ ସେମାନେ ଚେତାଶୂନ୍ୟ ହୋଇ ଗଛରୁ ଖସି ପଡ଼ି ମୃତ୍ୟୁବରଣ କରିଥିଲେ ।
ଏବେଳେ ବେଲଘାଟର ବାସିନ୍ଦା ପଙ୍କଜ ଶାହି କହିବାନୁହାୟୀ ଭାଗ୍ୟବଶତଃ ବାଦୁଡ଼ିମାନେ କରୋନାଭାଇରସରେ ପୀଡ଼ିତ ନଥିଲେ । ନଚେତ କୋଭିଡ଼-୧୯ ହେବାର ଆଶଙ୍କା ଅଧିକାଂଶ ଗ୍ରାମବାସୀଙ୍କୁ ଡରେଇ ଦେଇଥିଲା । ପଙ୍କଜ ଶାହିଙ୍କ ବଗିଚାର ଆମ୍ବ ଗଛ ଉପରେ ଏବଂ ତଳେ ମଧ୍ୟ ବାଦୁଡ଼ିମାନ ଦେଖିବାକୁ ମିଳିଥିଲା ।