ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ପରିବାରର ମୁଖ୍ୟ ବୋଲି ବିବେଚନା କରାଯାଉଥିବା ମିଜୋରାମର ଜଣେ ବ୍ୟକ୍ତି ରବିବାର ଆଇଜୋଲରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ 76 ବର୍ଷ ବୟସ ହୋଇଥିଲା। ଉତ୍ତର-ପୂର୍ବ ରାଜ୍ୟର ସର୍ଚିପ୍ ଜିଲ୍ଲାର ବକଟାୱାଙ୍ଗ ତାଲାଙ୍ଗନୁମ୍ ଗାଁର ବାସିନ୍ଦା ଜିଓନା ଚାନାଙ୍କର 38 ପତ୍ନୀ ଏବଂ 89 ସନ୍ତାନ ଏବଂ ବହୁ ସଂଖ୍ୟାରେ ନାତି ନାତୁଣୀ ମଧ୍ୟ ଥିଲେ। ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ଜଟିଳତା ହେତୁ ତାଙ୍କର ଦେହାନ୍ତ ହୋଇଛି।
ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟ୍ୱିଟ୍ କରି କହିଛନ୍ତି ଯେ, ମିଜୋରାମ ଶ୍ରୀ ଜିଓନା (76) ଙ୍କୁ ବିଦାୟ ଦେଇ ଛନ୍ତି, ଯିଏକି 38 ପତ୍ନୀ ଏବଂ 89 ପିଲାଙ୍କ ସହ ବିଶ୍ୱର ବୃହତ୍ତମ ପରିବାରର ମୁଖ୍ୟ ଭାବରେ ବିବେଚିତ ହୋଇଛନ୍ତି। ଏହି ପରିବାର ହେତୁ ମିଜୋରାମ ଏବଂ ସେମାନଙ୍କ ଗାଁ ବକଟାୱାଙ୍ଗ ତାଲାଙ୍ଗନୁମ୍ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଲଟିଛି।
ମିଜୋରାମର ରିପୋର୍ଟରେ କୁହାଯାଇଛି ଯେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଜନିତ ଜଟିଳତା କାରଣରୁ ରାଜ୍ୟ ରାଜଧାନୀ ଆଇଜୋଲର ଏକ ଘରୋଇ ଡାକ୍ତରଖାନାରେ ରାତି ପ୍ରାୟ 3 ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଜିଓନା 1942 ମସିହାରେ ମିଜୋରାମରେ ତାଙ୍କ ପିତାଙ୍କ ଦ୍ୱାରା ଗଠିତ ଏକ ଛୋଟ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଚାନା ପାଉଲଙ୍କ ମୁଖ୍ୟ ଥିଲେ। ଏହି ସମ୍ପ୍ରଦାୟ ବହୁବିବାହର ପ୍ରଥା କୁ ଅନୁସରଣ କରେ । 1945 ମସିହାରେ ଜନ୍ମ ହୋଇଥିବା ଜିଓନା 17 ବର୍ଷ ବୟସରେ ତାଙ୍କର ପ୍ରଥମ ପତ୍ନୀଙ୍କୁ ବିବାହ କରିଥିଲେ, ଯିଏ ତାଙ୍କଠାରୁ ତିନି ବର୍ଷ ବଡ ଥିଲେ।
ସେ 2004 ରେ ଶେଷ ବିବାହ କରିଥିଲେ। ଜିଓନା ତାଙ୍କ ଗାଁରେ ଚୁଆନ୍ ଥାର୍ ରନ୍ (ନୂତନ ଜେନେରେସନ୍ ହୋମ୍) ନାମକ ଏକ ଚାରି ମହଲା ଘର ନିର୍ମାଣ କରିଥିଲେ ଯେଉଁଠାରେ ତାଙ୍କ ପରିବାର ସମସ୍ତ ପତ୍ନୀ, ପୁଅ ଏବଂ ସେମାନଙ୍କ ପରିବାର ସହିତ ଏକାଠି ରହୁଥିଲେ। ସେମାନଙ୍କର ଝିଅ ମାନେ ସ୍ୱାମୀ ଏବଂ ପରିବାର ସହିତ ଅଲଗା ରୁହନ୍ତି । 180 ରୁ ଅଧିକ ସଦସ୍ୟ ଥିବା ଏହି ପରିବାର ସମଗ୍ର ଭାରତରୁ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । 2014 ରେ, ପରିବାର ଏକ ପ୍ରମୁଖ ଅଗ୍ରଣୀ ଡିସ୍ ୱାଶିଂ ବ୍ରାଣ୍ଡ ପାଇଁ ଏକ ବିଜ୍ଞାପନରେ ମଧ୍ୟ କାମ କରିଥିଲେ ।