୧୬ କୋଟିର ଇଂଜେକ୍ସନ୍ ନେଇ ମଧ୍ୟ ବଂଚିପାରିଲେନି ୧୩ ମାସର କୁନି ଝିଅ ବେଦୀକା…

ସଂସ୍କାର : କୁନି ଝିଅଟିଏ। ବୟସ ମାତ୍ର ୧୩ ମାସ। ଦୁନିଆ ବିଷୟରେ ନ ଜାଣୁଣୁ ଜୀବନ ଯୁଦ୍ଧରେ ହରିଗଲା ସେ। ଭଲସେ ଚାଲି ଶିଖିନଥିଲା, ତାର କୁନି କୁନି ପାଟିରେ କେବଳ ଗୋଟିଏ କଥା ଶୁଭୁଥିଲା , ମା….. ମା…। ସବୁ ଠିକ୍ ଚାଲିଥିଲା। କୁନି ଝିଅର ଖିଲିଖିଲି ହସ ସହିତ ତାଳ ଦେଇ ହସି ଉଠୁଥିଲେ ପରିବାର ଲୋକେ। ହଠାତ ମାଡି ଆସିଲା କାଳର କରାଳ ଛାଇ । ଅଚାନକ୍ ସବୁକିଛି ହୋଇଗଲା ଠପ୍।

ତେବେ ଏଭଳି ଏକ ହୃଦୟ ବିଦାରକ ଖବର ଆସିଛି ପୁଣେରୁ। ଆମେରିକାରୁ ଆସିଥିବା ୧୬ କୋଟି ଟଙ୍କାର ଇଂଜେକ୍ସନ୍ ଓ ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ , ଭଲପାଇବା ପାଇ ମଧ୍ୟ ଜୀବନ ଯୁଦ୍ଧରେ ହାରିଗଲା କୁନିଝିଅ ବେଦୀକା। ତୁଟିଗଲା ୧୩ ମାସର ଝିଅ ବେଦୀକାର ଜୀବନ ଡୋରି। ବେଦୀକାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିବା ଓ କିଛିଟା ଆର୍ଥିକ ସହାୟତା କରିଥିବା ଶୁଭେଚ୍ଛୁଙ୍କ ମହଲରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି। ଅଚାନକ୍ ବେଦୀକାର ଶରୀରରେ ଅକ୍ସିଜେନ୍ ଲେବଲ୍ କମିଗଲା । ସଙ୍ଗେ ସଙ୍ଗେ ବାପା ମା ପାଖ ହସ୍ପିଟାଲରେ ବେଦୀକାଙ୍କୁ ଭର୍ତ୍ତି କରାଇଲେ । କିନ୍ତୁ ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ବଂଚାଇପାରିଲାନି ଏହି କୁନି ବେଦୀକାକୁ।

ବେଦୀକା ଜନ୍ମ ହେବାର ଠିକ ୪ ମାସ ପରେ ଜଣା ପଡିଲା ଯେ, ସେ ଏକ ବିରଳ ରୋଗରେ ପୀଡିତ ହୋଇଛି। ଜନ୍ମ ହେବାର ୪ ମାସରୁ ହିଁ ବେଦିକା ସ୍ପାଇନାଲ ମସକ୍ୟୁଲାର ଏଟ୍ରୋଫି ଭଳି ବିରଳ ରୋଗରେ ପୀଡିତ ହୋଇଥିଲା। ଯେଉଁଥିରୁ ଆରୋଗ୍ୟ ଲାଭ କରିବା କଷ୍ଟକର । ଏହାର ଚିକିତ୍ସା ବ୍ୟୟବହୁଳ । ତଥାପି ଝିଅକୁ ବଂଚାଇବାକୁ ପ୍ରାଣପଣେ ଚେଷ୍ଟା କଲେ ବାପା ସୌରଭ ସିଂଧେ । ସୋସିଆଲ ମିଡିଆରେ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ । ଦେଶ ବିଦେଶର ଲୋକମାନେ କୁନି ଝିଅ ବେଦିକାକୁ ବଞ୍ଚାଇବା ପାଇଁ କଲେ ଆର୍ଥିକ ସାହାଯ୍ୟ। ଦେଶ ବିଦେଶର ଲୋକଙ୍କ ଠାରୁ ଯୋଗାଡ ହେଲା ଟଙ୍କା। ଆମେରିକାରୁ ଆସିଲା ଇଂଜେକ୍ସନ୍ । ଭାରତ ସରକାର ମଧ୍ୟ ଏହି ଇଂଜେକ୍ସନ୍ ଉପରୁ ଶୁଳ୍କ ବି ଛାଡ କଲେ । କିନ୍ତୁ ଏତେ ସ୍ୱତେ ମଧ୍ୟ ଭଗବାନଙ୍କ ଇଚ୍ଛା ଆଗରେ ହାର ମାନିଗଲା ବେଦୀକାର ନିଶ୍ୱାସ।

ଜୁନ୍ ୧୫ ତାରିଖରେ ପୁଣେ ସ୍ଥିତ ଦିନାନାଥ ମଙ୍ଗେସ୍କର ହସ୍ପିଟାଲରେ ଦିଆଗଲା ଇଂଜେକ୍ସନ୍ । ଏହାପରେ ଧିରେ ଧିରେ ସୁଧୁରିଲା ଦେବୀକାର ସ୍ୱାସ୍ଥ୍ୟ । କିନ୍ତୁ ବିଧିର ବିଧାନ କିନ୍ତୁ ଅଲଂଘ୍ୟ । ରବିବାର ହଠାତ୍ ବେଦୀକା ଅସୁସ୍ଥ ହୋଇପଡିବା ପରେ ଡାକ୍ତରଙ୍କ ଚେଷ୍ଟା ସତେ୍ୱ ଚାଲିଗଲା ବେଦୀକାର ଜୀବନ ।ଏ ଖବର ତାର ଶୁଭେଚ୍ଛୁଙ୍କୁ ବ୍ୟଥୀତ କରିଛି । ଏନେଇ କିଛି ଶୁଭେଚ୍ଛୁ ଡାକ୍ତରଙ୍କ ଉପରେ ପ୍ରଶ୍ନ ଉଠାଉଥିବାବେଳେ ଏପରି ନକରିବାକୁ ଅନୁରୋଧ କରିଛନ୍ତି ବେଦୀକାଙ୍କ ପରିବାର।

Leave a Reply

Your email address will not be published. Required fields are marked *