ଏହି ବ୍ୟାଙ୍କଗୁଡ଼ିକର ମନମୁଖୀ ଅତ୍ୟାଚାର : ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବୁ ବୋଲି କହିଲେ ହିତାଧିକାରୀ

ମହାମାରୀ କରୋନା ପାଇଁ ହେଇଥିବା ଲକଡାଉନ କାରଣରୁ କାମଧନ୍ଦା ସବୁ ବନ୍ଦଥିଲାବେଳେ ଗରିବ ତଥା ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଛନ୍ତି । ଏମିତିକି ବ୍ୟବସାୟୀମାନେ ହଇରାଣ ହେଉଛନ୍ତି । ଏଭଳି ସମୟରେ ବ୍ୟାଙ୍କ ଋଣର କିସ୍ତି ଦେବା ସମୟକୁ ସରକାର ୬ ମାସ ଯାଏଁ କୋହଳ କରିଥିବାବେଳେ ବ୍ୟାଙ୍କ ତରଫରୁ ମଧ୍ୟ ଅନେକ ସୁବିଧା ସୁଯୋଗ ଦିଆଯାଉଛି । ହେଲେ ନୀଳଗିରି ବ୍ଲକ, ଔପଦା ବ୍ଲକ, ନୀଳଗିରି ଏନଏସି, ରେମୁଣା ବ୍ଲକ ଅନ୍ତର୍ଗତ କେତେକ ଗ୍ରାମରେ ଗତ ମାସଠାରୁ ବନ୍ଧନ ବ୍ୟାଙ୍କ ଏବଂ ୮ ଟି ବେସରକାରୀ ବ୍ୟାଙ୍କ ଋଣର କିସ୍ତି ଆଦାୟ ନେଇ ଆଉପ୍ରକାରେ ଆଇନ ଦେଖାଇଛନ୍ତି ।

ବ୍ୟାଙ୍କଗୁଡ଼ିକର ଏହି ଖିଆଲି ମନୋଭାବ ନିତିକୁ ପ୍ରତିବାଦ କରି ଆଜି କିଛି ମହିଳା ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ନୀଳଗିରି ଉପଖଣ୍ଡ ଅଧିନରେ ଥିବା ୩୬ ଟି ପଞ୍ଚାୟତର ଶହେରୁ ଅଧିକ ଗାଁ ସମେତ ନୀଳଗିରି ଏନଏସି, ଏମିତିକି ପଡ଼ୋଶୀ ବ୍ଲକ ରେମୁଣା ଗାଁର ମହିଳାମାନେ ବେସରକାରୀ ବ୍ୟାଙ୍କ ମାଧ୍ୟମରେ ଋଣ ନେଇଥିଲେ । ୩୦ରୁ ୫୦ ହଜାର ଯାଏଁ ନେଇଥିବା ଋଣ ଟଙ୍କାର ସପ୍ତାହକୁ ଥରେ କିସ୍ତି ହିସାବରେ ସୁଧ ମିଶାଇ ଫେରାନ୍ତି ।

ବର୍ତ୍ତମାନ କିନ୍ତୁ ଋଣ ପରିଶୋଧବେଳକୁ କାହାର ୨୦ ପ୍ରତିଶତ ତ ଆଉ କାହାର ୨୫ ପ୍ରତିଶତ ସୁଧ ଲାଗିଥିବାର ଅଭିଯୋଗ ହେଉଛି । କରୋନା କଟକଣା ଯୋଗୁ ଲୋକେ ଘରେ ବେକାର ହେଇ ବସିଥିବାବେଳେ ବେସରକାରୀ ବ୍ୟାଙ୍କର ଏଜେଣ୍ଟମାନେ ବିଭିନ୍ନ ଗାଁରେ ଜୋର କରି କିସ୍ତି ଆଦାୟ କରୁଛନ୍ତି, ଫଳରେ ଅସନ୍ତୋଷ ବଢିବାରେ ଲାଗିଛି ।

ସୂଚନା ଅନୁଯାୟୀ କିଛିଦିନ ପୂର୍ବରୁ ବନ୍ଧନ ବ୍ୟାଙ୍କର ଏଜେଣ୍ଟ ମାନେ କାଂଶ, ନରସିଂହପୁର, ପୁନଦାଳ ଗାଁରେ ଜୋର କରି ଟଙ୍କା ଆଦାୟ ନେଇ ଅଭିଯୋଗ ହୋଇଥିଲା । ବେଗୁନିଆ ପଞ୍ଚାୟତର ଡୁମଗଣ୍ଡିରା, ଦୋବାଟି, ହରିପୁର, ପୋରଖୀରେ ଶତାଧିକ ମହିଳା ବନ୍ଧନ ବ୍ୟାଙ୍କ, ଗ୍ରାମ ଶକ୍ତି, ଏସକେଏସ, ଅସ୍ମିତା, ସାର୍ଟିନ, ସ୍ପନ୍ଦନ, ପିପୁଲସ, ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କର ଏଜେଣ୍ଟମାନଙ୍କ ଦ୍ଵାରା ହଇରାଣ ହରକତ ହେଉଛନ୍ତି ।

ଆଜି ତେଣୁ ଉପରୋକ୍ତ ଗାଁଗୁଡ଼ିକର ହିତାଧିକାରୀମାନେ ଘରୋଇ ବ୍ୟାଙ୍କର ମନମୁଖୀ ଆଇନକୁ ପ୍ରତିବାଦ କରି ନୀଳଗିରି ଉପଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକପତ୍ର ଦେଇଛନ୍ତି । ସ୍ମାରକପତ୍ର ଅନୁଯାୟୀ ଯଦି ସେମାନଙ୍କୁ ଉଚିତ୍ ନ୍ୟାୟ ନମିଳେ ସେମାନେ ବାଧ୍ୟ ହୋଇ ଆତ୍ମହତ୍ୟା କରିବେ ବୋଲି ଚେତେଇ ଦେଇଛନ୍ତି । ଅନ୍ୟପକ୍ଷରେ ନୀଳଗିରି ତହସିଲଦାର ହରିଶଚନ୍ଦ୍ର ଜେନା ଘଟଣା ତଦନ୍ତ କରିବା ସହିତ ଜିଲ୍ଳାପାଳଙ୍କୁ ଏ ବିଷୟରେ ଜଣାଇବେ ବୋଲି ହିତାଧିକାରୀଙ୍କୁ କଥା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *