କୋଭିଡ଼-୧୯ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରିମେଡ଼େସିଭିର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଛି । ଏକ ନୂଆ ଅଧ୍ୟୟନ ଅନୁଯାୟୀ ଏହି ଔଷଧ ପ୍ରୟୋଗ ଦ୍ଵାରା କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ ଫୁସଫୁସ ରୋଗକୁ ରୋକିବାରେ ସଫଳ ହେଇଛି ବୋଲି ମଙ୍ଗଳବାର ଦିନ ପ୍ରକୃତି ପତ୍ରିକାରେ ପ୍ରକାଶିତ ହୋଇଛି ।
ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏହି ଅଧ୍ୟୟନର ଫଳାଫଳ ଉପରେ ଅପ୍ରେଲ ମାସରେ ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ଦ୍ୱାରା ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଜୁନ ମାସରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ରିମେଡ଼େସିଭିର୍ ବ୍ୟବହାରକୁ ଅନୁମୋଦନ କରିଥିଲେ । ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ଡାକ୍ତରମାନେ ଏହି ଔଷଧ ଦେଉଛନ୍ତି ।
ରିମେଡ଼େସିଭିର୍ ଔଷଧ ଦିଆଯାଇଥିବା ମାଙ୍କଡ଼ମାନେ ଶ୍ୱାସ ରୋଗର କୌଣସି ଲକ୍ଷଣ ଦେଖାଇ ନଥିଲେ ଏବଂ ଏହି ଔଷଧ ଫୁସଫୁସ କ୍ଷତିକୁ ମଧ୍ୟ ହ୍ରାସ କରିଥିଲା । ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ ରିମେଡ଼େସିଭିର୍ ସହିତ ଚିକିତ୍ସିତ ହେଉଥିବା ମାଙ୍କଡ଼ମାନଙ୍କ ଫୁସଫୁସରେ ଭାଇରାଲ୍ ପରିମାଣ କିମ୍ବା ଭାଇରସ ମାତ୍ରା ମଧ୍ୟ କମ୍ ଥିବା ଜଣାପଡ଼ିଛି । ସେମାନେ ପରାମର୍ଶ ଦେଇଛନ୍ତି ଯେ କୋଭିଡ଼-୧୯ ରୋଗୀଙ୍କ ନିମୋନିଆକୁ ବନ୍ଦ କରିବା ପାଇଁ ରିମେଡ଼େସିଭିର୍ ଔଷଧକୁ ଯଥାଶୀଘ୍ର ବିଚାରକୁ ନେବା ଉଚିତ୍ ।
ଏହା ହେଉଛି କରୋନା ଭାଇରସର ପ୍ରଥମ ଔଷଧ ଯାହା ମାନବ ପରୀକ୍ଷଣରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହୋଇପାରିଛି । ଏହି ଔଷଧ ଉପରେ କରାଯାଉଥିବା ଅନ୍ୟାନ୍ୟ କ୍ଲିନିକାଲ୍ ଅଧ୍ୟୟନଗୁଡ଼ିକ ମଧ୍ୟ ତୀକ୍ଷ୍ଣ ନଜରରେ ରହିଛି । ଗତ ମାସରେ ଜାପାନରେ ରିମେଡ଼େସିଭିର୍ ଭେକ୍ଲୁରି ବ୍ରାଣ୍ଡ ନାମରେ ଅନୁମୋଦିତ ହୋଇଥିଲା । ଆମେରିକା, ଭାରତ ଏବଂ ଦକ୍ଷିଣ କୋରିଆରେ କରୋନା ଭାଇରସରେ ଗୁରୁତର ଆକ୍ରାନ୍ତଙ୍କୁ ଏହି ଔଷଧ ଦିଆଯାଉଛି । କେତେକ ୟୁରୋପୀୟ ଦେଶ ମଧ୍ୟ ଏହି ଔଷଧ ବ୍ୟବହାର କରୁଛନ୍ତି ।

ସୂଚନା ଅନୁଯାୟୀ ଅପ୍ରେଲ ମାସ ଶେଷ ବେଳକୁ ପ୍ରକାଶିତ ଏକ ଆମେରିକୀୟ କ୍ଲିନିକାଲ୍ ଟ୍ରାଏଲରେ ପ୍ଲେସେବୋ ନେଉଥିବା ରୋଗୀଙ୍କ ତୁଳନାରେ ରିମେଡ଼େସିଭିର୍ ନେଉଥିବା ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି ହାର ୩୧ ପ୍ରତିଶତକୁ ହ୍ରାସ ପାଇଛି । କୋଭିଡ଼-୧୯ର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଏହି ଔଷଧର ୫ ଦିନିଆ କୋର୍ସ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଗତ ସପ୍ତାହରେ ରିମେଡ଼େସିଭିର୍ ପରୀକ୍ଷଣର ରିପୋର୍ଟ ଗିଲିୟଡ୍ ଦ୍ଵାରା ଦିଆଯାଇଥିଲା ।