୯୬ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦେଶ ଭିଏତନାମ ସାମ୍ନାରେ ଏକ ପ୍ରକାର ହାରି ଯାଇଛି କରୋନା । ଚୀନ ସହିତ ଅତି ଘନିଷ୍ଠ ବ୍ୟବସାୟୀକ ତଥା ସାମାଜିକ ସମ୍ପର୍କ ପରେ ବି ଭିଏତନାମରେ ମାତ୍ର ୩୩୨ ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ଦୀର୍ଘ ସମୟ ପରେ ସଂକ୍ରମିତ ସିନା ଏତିକି ସଂଖ୍ୟାରେ ହେଲେ କିନ୍ତୁ ସେମାନଙ୍କ ମଧ୍ୟରୁ ଜଣକର ବି ମୃତ୍ୟୁ ହୋଇ ନଥିବା ଯେତିକି ଖୁସିର ବିଷୟ ସେତିକି ଆଶ୍ଚର୍ଯ୍ୟର ବି ।
ଗତ ୨୦୦୩ ମସିହା ସାର୍ସ ସଂକ୍ରମଣରେ ବି ଭିଏତନାମ ଯୁଝିଥିଲା ଓ ଶିକ୍ଷା ପାଇଥିବା ପଦ୍ଧତି ଆପଣେଇ ଏହି ଭୟଙ୍କର କରୋନା ମହାମାରୀ କବଳରୁ ବି ନିଜକୁ ରକ୍ଷା କରିପାରିଛି ବୋଲି ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଫର ହାଇଜିନ ଏଣ୍ଡ ଇପିଡେମୋଲଜି ଉପମୁଖ୍ୟ ଫାମ କ୍ୱାଙ୍ଗ ଥାଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଚୀନ ସୀମାକୁ ଲାଗି ଭିଏତନାମର ୧ ହଜାର ୩୦୦ କିଲୋମିଟର ସୀମା ଲାଗି ରହିଛି । ତଥାପି ଭିଏତନାମ ସରକାର ଦେଶରେ ଜାରି କରିଥିବା କଟକଣାକୁ ଗତ ଅପ୍ରେଲ ୨୧ ତାରିଖରେ ପ୍ରତ୍ୟାହାର କରିଛନ୍ତି । ଆଉ ଖୁସି ଖବର ଯେ ସେତେବେଳ ଯାଏଁ ଦେଶରେ ଜଣେ ବି କରୋନା ସଂକ୍ରମିତ ନଥିବା ବେଳେ ସଂକ୍ରମଣ କାଳରେ ଜଣକର ବି ମୃତ୍ୟୁ ହୋଇ ନଥିଲା ।
ପରବର୍ତ୍ତୀ ସମୟରେ ଦେଶକୁ କରୋନା ଆସିଲା ସତ ହେଲେ ସରକାରଙ୍କ ସତର୍କତା ଓ ଲୋକଙ୍କ ସଚେତନତା ଏ କରୋନାକୁ ହରାଇବାରେ ସଫଳ ହୋଇଛି । କରୋନା ସମ୍ପର୍କରେ ଫାମ କ୍ୱାଙ୍ଗ ଥାଇ କୁହନ୍ତି ଯେ ଚୀନରେ ସଂକ୍ରମଣ ବ୍ୟପିବାର ସୂଚନା ମିଳିବା କ୍ଷଣି କରୋନା ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ଭିଏତନାମରେ । ୨୩ ଟି ମନ୍ତ୍ରାଳୟକୁ ନେଇ ତୁରନ୍ତ ଷ୍ଟିୟରିଂ କମିଟି ଗଠନ କରାଯିବା ସହ ଅନେକ ପଦକ୍ଷେପମାନ ବି ନିଆଯାଇଥିଲା । ଅଧିକାରୀକ ଘୋଷଣା କରିବା ବେଳକୁ ଚୀନରୁ କରୋନା ଭାଇରସ ନେଇ ଦେଶକୁ ୬ ଜଣ ସଂକ୍ରମିତ ଫେରି ସାରିଲେଣି ।
ତଥାପି ଭିଏତନାମ ଦେଶ ହାର ମାନି ନଥିଲା । କରୋନା ମୁକାବିଲା ପାଇଁ ଦେଶର ସରକାର ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିଥିଲେ । ପ୍ରତି ନାଗରିକଙ୍କ ପାଇଁ ନିଶୁଳ୍କ ପରୀକ୍ଷଣ ଆରମ୍ଭ କରିବା ସହିତ ପ୍ରାୟ ୩ ଲକ୍ଷ ଲୋକଙ୍କୁ କୋଭିଡ଼ ପରୀକ୍ଷା କରିଥିଲେ । ୩ ଲକ୍ଷ ପରୀକ୍ଷାରେ ମାତ୍ର ୩୩୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ ଯେତେବେଳେ କି ସେମାନଙ୍କର କୌଣସି ଲକ୍ଷଣ ନଥିଲା । ଏହାଛଡ଼ା ଅଧିକାରୀକ ଘୋଷଣା ସହିତ ବିମାନ ସେବା ବନ୍ଦ ସହିତ ସୀମାକୁ ସିଲ କରିଦିଆ ଯାଇଥିଲା । ତଥାପି ଜନସାଧାରଣଙ୍କ ସହଯୋଗ ହିଁ ଯୋଗୁ ମୃତ୍ୟୁକୁ ରୋକିଯାଇ ପାରିଥିବା କଥା କହିଛନ୍ତି କ୍ୱାଙ୍ଗ ଥାଇ ।