ଲେବାନନରେ ଫାଟିଲା ତେଲ ଟ୍ୟାଙ୍କର, ମୃତ୍ୟୁ ସଂଖ୍ୟା ୩୦ କୁ ବୃଦ୍ଧି

ସଂସ୍କାର : ଗତ ଅଗଷ୍ଟ ୧୫ ତାରିଖ ଦିନ ସମଗ୍ର ଭାରତବର୍ଷ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ଘଟିଥିଲା ଏକ ଭୟଙ୍କର ଅଘଟଣ। ଗତ ରବିବାର ସକାଳେ ଉତ୍ତର ଲେବାନନରେ ଏକ ଇନ୍ଧନ ଟ୍ୟାଙ୍କର୍ ଟ୍ରକ୍ ବିସ୍ଫୋରଣ ହେବା ଫଳରେ ଘଟଣାସ୍ଥଳରେ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ସହ ୮୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ। ତେବେ ବିସ୍ଫୋରଣର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ।

ତେବେ ଆକ୍କର ହସ୍ପିଟାଲରେ ଆହତ ମାନଙ୍କୁ ଭର୍ତ୍ତି କରାଯାଇଥିଲା। ସେହି ଆହତ ମାନଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଏହା ଦ୍ୱାରା ମୃତ୍ୟୁ ସଂଖ୍ୟା ୩୦ ରେ ପହଞ୍ଚିଛି ବୋଲି ଜଣାପଡିଛି। ଅନ୍ୟପଟେ ଶବ ଗୁଡିକ ଭୟଙ୍କର ଭାବରେ ଜଳି ଯାଇଥିବାରୁ ଚିହ୍ନଟ ସମ୍ଭବ ନୁହେଁ ବୋଲି ହସ୍ପିଟାଲର କର୍ମୀ ପ୍ରକାଶ କରିଛନ୍ତି ।

ଏହା ସହିତ ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା କି କିଛି ଲୋକଙ୍କ ଶରୀରରୁ ଅଙ୍ଗପ୍ରତ୍ୟଙ୍ଗ ଅଲଗା ହୋଇଯାଇଥିଲା । ଲେବାନନ ଆର୍ମି ପକ୍ଷରୁ ଗ୍ୟାସୋଲିନ୍ ପରିବହନ ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଏହାପୂର୍ବରୁ, ୪ ଅଗଷ୍ଟ ୨୦୨୦ ମସିହାରେ ବେରୁଟ ବନ୍ଦରରେ ଏକ ବିସ୍ଫୋରଣ ଘଟିଥିଲା ​​ଯେଉଁଥିରେ ଅତି କମରେ ୨୧୪ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଶହ ଶହ ଲୋକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *