ସଂସ୍କାର : ଆପଣ ଅନେକାଂଶରେ ଯୋଡ଼ା ମୁଣ୍ଡ ଥିବା ଶିଶୁଙ୍କ କଥା ନିଶ୍ଚିତ ଶୁଣିଥିବେ। ଆଉ ଯୋଡ଼ା ମୁଣ୍ଡ ଥିବା ଶିଶୁଙ୍କ ମୁଣ୍ଡ ମଧ୍ୟ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରାଯାଇଥାଏ। ନିକଟରେ ଏଭଳି ଏକ ଅସ୍ତ୍ରୋପଚାର ସଫଳ ଭାବରେ କରାଯାଇଛି ଇସ୍ରାଏଲରେ। ଇସ୍ରାଏଲରେ ସଫଳ ଭାବରେ ସମ୍ପୂର୍ଣ୍ଣ ହୋଇଛି ବିଶ୍ବର ଏହି ବିରଳ ଅସ୍ତ୍ରୋପଚାର। ଦୁଇ ଯାଆଁଳା ଶିଶୁଙ୍କ ମୁଣ୍ଡକୁ ଅଲଗା ଅଲଗା କରିବାରେ ସଫଳତା ହାସଲ କରିଛନ୍ତି ଏଠାକାର ଡାକ୍ତରମାନେ।
ସୂଚନା ଅନୁସାରେ, ଜନ୍ମ ସମୟରେ ଏହି ଦୁଇ ଶିଶୁ କନ୍ୟାଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ସେମାନଙ୍କ ନିକଟରେ ନାନା ସମସ୍ୟା ଦେଖା ଦେଇଥିଲା । ଆଉ ଏହି ସମସ୍ୟାରେ ଅତିଷ୍ଠ ହୋଇଯାଇଥିଲେ ପରିବାର ଲୋକ। ତେଣୁ ସେମାନେ ଏହି ଦୁଇ ଶିଶୁଙ୍କର ମୁଣ୍ଡକୁ ଅସ୍ତ୍ରୋପଚାର ଦ୍ୱାରା ଅଲଗା କରିବା ପାଇଁ ଯୋଜନା କଲେ। ପରିବାର ଲୋକେ ବିଶେଷଜ୍ଞ ଡାକ୍ତରଙ୍କ ସହିତ କଥା ହୋଇ ଏହି ଅସ୍ତ୍ରୋପଚାର କଲେ। ସୋରୋକା ମେଡିକାଲ ସେଣ୍ଟରରେ ଦୀର୍ଘ ୧୨ ଘଣ୍ଟାର ପରୀକ୍ଷାନିରୀକ୍ଷା ପରେ , ଅସ୍ତ୍ରୋପଚାର କରି ଏହି ଦୁଇ ଶିଶୁ କନ୍ୟାଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ ୧୨ ଜଣରୁ ଅଧିକ ବିଶେଷଜ୍ଞ। ତେବେ ଅପରେସନ ପରେ ଏହି ଦୁଇ ଶିଶୁଙ୍କ ଅବସ୍ଥା ଭଲ ରହିଛି ବୋଲି ଅସ୍ତ୍ରୋପଚାର କରୁଥିବା ଡାକ୍ତରୀ ଦଳ କହିଛନ୍ତି।
ସୋରୋକାର ସର୍ଜରୀ ବିଭାଗ ମୁଖ୍ୟ ଏଲଡାଦ ସିବରଷ୍ଟେନ କହିଛନ୍ତି, ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଏହି ଦୁଇ ଶିଶୁ କନ୍ୟା ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଇସ୍ରାଏଲରେ ପ୍ରଥମ ଥର ପାଇଁ ଏହି ଅପରେସନ ସଫଳ ହୋଇଥିବା ବେଳେ, ସାରା ବିଶ୍ବରେ ଏଯାବତ୍ ୨୦ଟି ଅପରେସନ ସଫଳ ଭାବରେ ସମ୍ପୂର୍ଣ୍ଣ ହୋଇଛି । ଇସ୍ରାଏଲର ସୋରୋକାରେ ଗତ ବର୍ଷ ଅଗଷ୍ଟ ମାସରେ ଏହି ଦୁଇ କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ତେବେ ଏହା ଅତ୍ୟନ୍ତ ବିରଳ ସର୍ଜରୀ ଥିଲା ବୋଲି କହିଛନ୍ତି ସୋରୋକା ପେଡିଆଟ୍ରିକ ନ୍ୟୁରୋସର୍ଜରୀ ବିଭାଗର ନିର୍ଦ୍ଦେଶକ ଡାକ୍ତର ମିକେ ଗିଡନ ।