ସଂସ୍କାର : କରୋନା ସମୟରେ ଦେଶରେ ଗରିବ ଓ ଅସହାୟଙ୍କ ଦେବଦୂତ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍। ଆଉ ଏହି ଦେବଦୂତଙ୍କ ଘର ଓ ଅଫିସରେ ଗତକାଲି ଚଢ଼ାଉ କରିଥିଲା ଆୟକର ବିଭାଗ। ଆଉ ସୋନୁଙ୍କ ଘରେ ଓ ଅଫିସରେ ଆୟକର ବିଭାଗର ଚଢ଼ାଉ ପରେ ଦେଶର ରାଜନୈତିକ ମାହୋଲ ବେଶ୍ ଗରମ ହୋଇଗଲାଣି।
ବଲିଉଡ ଅଭିନେତା ସୋନୁ ସୁଦ୍ ଆୟକର ବିଭାଗ ସ୍କାନରରେ ଆସିବ ପରେ ତାଙ୍କ ଅଫିସ ଓ ତାଙ୍କ ସହ ଲିଙ୍କ୍ ଥିବା ୬ଟି ସ୍ଥାନରେ ଘନଘନ ଚଢ଼ାଉ କରିଛି ଆୟକର ବିଭାଗ । କୋଭିଡ୍ ମହାମାରୀ ସଙ୍କଟ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରି ସାରା ଦେଶରେ ବାସ୍ତବ ଜୀବନର ହିରୋ ପାଲଟିଥିବା ସୋନୁଙ୍କ ଦପ୍ତରରେ ଆୟକର ଚଢ଼ାଉ ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଦେଶବ୍ୟାପି ଏହି ଘଟଣାକୁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ବି ତେଜିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସତର ରାସ୍ତା ବହୁତ କଠିନ ହୋଇପାରେ, ମାତ୍ର ବିଜୟ ସବୁବେଳେ ସତ୍ୟର ହିଁ ହେବ । ସମସ୍ତେ ସଂକଟରେ ଥିବା ବେଳେ ସୋନୁ ଏକାକୀ ଲଢୁଥିଲେ ଆଉ ବର୍ତ୍ତମାନ ସମୟ ଆସିଛି ଆମେ ତାଙ୍କର ଢାଲ ହୋଇ ଠିଆହେବା। ଏଭଳି ସଙ୍କଟ ସମୟରେ ସମସ୍ତେ ସୋନୁଙ୍କ ସାଥ୍ ଦେବା। ଆମେ ସବୁ ଆପଣ ସହିତ ଅଛୁ ସୋନୁ। ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଲକ୍ଷାଧିକ ଲୋକଙ୍କୁ ସୋନୁ କୋଭିଡ୍ ମହାମାରୀବେଳେ ସହାୟତା କରିଥିଲେ, ସେଇ ଲକ୍ଷାଧିକ ପରିବାର ଲୋକଙ୍କ ପ୍ରାର୍ଥନା ସୋନୁଙ୍କ ସହ ଅଛି । ଅପରପକ୍ଷରେ ସୋନୁଙ୍କ ଏଭଳି ଟାର୍ଗେଟ କରାଯିବା ନେଇ ଆମ୍ ଆଦମି ପାର୍ଟି ପ୍ରଶ୍ନ ଉଠାଇଛି । ଏ ନେଇ କେନ୍ଦ୍ରର ବିଜେପି ସରକାର ଭୂମିକା ଉପରେ ଆପ୍ ର କର୍ମକତା ମାନେ ଆଙ୍ଗୁଠି ଉଠାଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତକାଲି ଆୟକର ବିଭାଗ ସୋନୁଙ୍କର ୬ଟି ସ୍ଥାନରେ ଚଢ଼ାଉ କରିଥିଲା। ଲକ୍ଷ୍ନୌସ୍ଥିତ ଏକ ରିଅଲ ଇଷ୍ଟେଟ କମ୍ପାନି ସହ ବ୍ୟବସାୟିକ ଚୁକ୍ତିନାମାକୁ ନେଇ ସୋନୁ ଆଇଟି ବିଭାଗ ସ୍କାନରରେ ଥିବା କୁହାଯାଉଛି । ତେବେ ଆପଣ ନିଶ୍ଚିତ ଜାଣିଥିବେ ଯେ, ସୋନୁ ଅଭିନେତା ଥିବାବେଳେ ତାଙ୍କ ପତ୍ନୀ ମଧ୍ୟ ଫିଲ୍ମ ପ୍ରଡୁ୍ୟସର ଅଛନ୍ତି ।
ଫିଲ୍ମ ଅଭିନେତା ଭାବେ ସୋନୁ ବଲିଉଡ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ବେଶ୍ ସକ୍ରିୟ ଥିବାବେଳେ ଗତବର୍ଷ କରୋନା ଲକଡାଉନବେଳେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟ ତଥା ଗାଁକୁ ପଠାଇବାରେ ସୋନୁ ସହଯୋଗ କରିଥିଲେ । ଶ୍ରମିକଙ୍କୁ ଘରକୁ ପଠାଇବାର ସବୁ ଖର୍ଚ୍ଚ ମଧ୍ୟ ବହନ କରିଥିଲେ । ଯିଏ ଯେତେବେଳେ ସହାୟତା ମାଗିଥିଲା, ସୋନୁ ସହାୟତା କରିଥିଲେ । ଅସହାୟ ଶ୍ରମିକଙ୍କ ପାଇଁ ସେ ଯେମିତି ଭଗବାନ ପାଲଟିଯାଇଥିଲେ। ଏହାପରଠୁ ଦେଶର ବିଭିନ୍ନ କୋଣଅନୁକୋଣରୁ ସୋନୁଙ୍କୁ ଲୋକେ ସାହାଯ୍ୟ ମାଗିଥିଲେ । ସୋନୁ ବି ଯଥାସମ୍ଭବ ସହାୟତା ଦେଇଥିଲେ ।
ଚଳିତ ବର୍ଷ କରୋନା ସଙ୍କଟବେଳେ ଲୋକଙ୍କୁ ଅକ୍ସିଜେନ ଯୋଗାଇବାରେ ବି ସେ ବଡ଼ ଭୂମିକା ନେଇଥିଲେ । ଏଭଳି ଜଣେ ଅଭିନେତା ଆୟକର ବିଭାଗ ସ୍କାନରକୁ ଆସିବା ଖବର ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ସୋନୁ ସୁଡଙ୍କୁ ଦିଲ୍ଲୀର ଆପ୍ ସରକାର ଏକ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ୍ ଆମ୍ବାସାଡାର ଘୋଷଣା କରିଛି । ଏ ସଂକ୍ରାନ୍ତରେ ସୋନୁ ଓ କ୍ରେଜିୱାଲଙ୍କ ସାକ୍ଷାତ ନିକଟରେ ହୋଇଥିଲା । ଏହାକୁ ସାକ୍ଷାତ ପରେ ସୋନୁ ଆଗାମୀ ପଞ୍ଜାବ ନିର୍ବାଚନରେ ଆପ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏଭଳି ସମୟରେ ସୋନୁଙ୍କ ଉପରେ ଆୟକର ଚଢ଼ାଉ ରାଜନୈତିକ ଚର୍ଚ୍ଚାକୁ ଅଧିକ ଖୋରାକ ଦେଇଛି ।