ଯାଇଥିଲି ହସ୍ପିଟାଲ ନିରୀକ୍ଷଣ ପାଇଁ , ଖାଇଲି ଗାର୍ଡ ହାତରୁ ଲାଠିମାଡ଼ : ମନସୁଖ ମାଣ୍ଡଭିୟ

ସଂସ୍କାର : କେନ୍ଦ୍ରମନ୍ତ୍ରୀଙ୍କୁ ସିକ୍ୟୁରୀଟି ଗାର୍ଡର ଲାଠିମାଡ଼। ଲାଠି ଦ୍ୱାରା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବାଡାଇଲା ହସ୍ପିଟାଲର ସିକ୍ୟୁରୀଟି ଗାର୍ଡ। ଆଉ କେନ୍ଦ୍ରମନ୍ତ୍ରୀ ସେ ଗାର୍ଡକୁ କିଛି ବି କହିଲେ ନାହିଁ। ଏପରି ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସେ ନିଜର ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଖୁଲାସା କରିଛନ୍ତି।

କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, କିଛି ଦିନ ପୂର୍ବେ ସେ ଜଣେ ସାଧାରଣ ନାଗରିକ ଭାବରେ ସଫଦରଗଞ୍ଜ ହସ୍ପିଟାଲରେ ଅଚାନକ ନିରୀକ୍ଷଣ ପାଇଁ ପହଞ୍ଚିଥିଲି। ହେଲେ ସେଠାରେ ଜଣେ ଗାର୍ଡ ତାଙ୍କୁ ଲାଠିରେ ପିଟିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଘଟଣାର ଖୁଲାସା ସେତେବେଳେ କରିଛନ୍ତି ଯେଉଁ ସମୟରେ କି ସେ ଏହି ହସ୍ପିଟାଲର ଉଦଘାଟନ ପାଇଁ ଯାଇଥିଲେ। ସଫଦରଗଞ୍ଜ ହସ୍ପିଟାଲରେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ସୁବିଧାର ଉଦଘାଟନ ସମାରୋହରେ ଚାରିଟି ଡାକ୍ତରଙ୍କ ସାମ୍ନାରେ ସେ ଏହି ଖୁଲାସା କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡାକ୍ତରଙ୍କୁ କହିଛନ୍ତି ଯେ, ସେ ନିରୀକ୍ଷଣ ସମୟରେ ହସ୍ପିଟାଲରେ ବହୁତ ଅସୁବିଧା ଦେଖିବାକୁ ପାଇଥିଲେ। ସେ ହସ୍ପିଟାଲ ପ୍ରଶାସନଙ୍କୁ ରୋଗୀଙ୍କ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବା ସହ ଏବଂ ହସ୍ପିଟାଲର ଅବ୍ୟବସ୍ଥା ଦୂର କରିବା ସହ ଏହାକୁ ଦେଶର ଏକ ମୋଡେଲ୍ ହସ୍ପିଟାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗାର୍ଡ ହାତରୁ ଲାଠିମାଡ଼ ଖାଇବାର କାରଣ କ’ଣ ?

ଉଦଘାଟନ ସମାରୋହରେ ମାଣ୍ଡଭିୟ କହିଛନ୍ତି, ସେ ଜଣେ ରୋଗୀ ଭାବେ ହସ୍ପିଟାଲ ନୀରିକ୍ଷଣ କରିବାକୁ ପହଞ୍ଚିଥିଲେ। ସେଠାରେ ଏକ ବେଞ୍ଚରେ ବସିବାରୁ ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ତାଗିଦ୍ କରିଥିଲେ ଏବଂ ଲାଠିରେ ପିଟିଥିଲେ। ସେଠାରେ ବସିବାକୁ ତାଙ୍କୁ ମନା ମଧ୍ୟ କରିଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ହସ୍ପିଟାଲରେ ଅନେକ ରୋଗୀଙ୍କୁ ଷ୍ଟ୍ରେଚର ଓ ଅନ୍ୟ ଚିକିତ୍ସା ସୁବିଧା ପାଇଁ ନାକେଦମ ହେବାକୁ ପଡୁଛି। ଏପରିକି ଜଣେ ୭୫ ବର୍ଷୀୟ ବୃଦ୍ଧା ନିଜର ପୁଅ ପାଇଁ ଏକ ଷ୍ଟ୍ରେଚର ଆଣିବାକୁ ଗାର୍ଡଙ୍କୁ ଗୁହାରି କରୁଥିବା ସେ ଦେଖିଛନ୍ତି। ହେଲେ ବୃଦ୍ଧାଙ୍କୁ ଷ୍ଟ୍ରେଚରଟିଏ ବି ମିଳିନଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଗାର୍ଡଙ୍କ ବ୍ୟବହାର ଦେଖିବା ପରେ ପ୍ରଶ୍ନ କରିଥିଲି ଯେ, ହସ୍ପିଟାଲରେ ୧୫୦୦ରୁ ଅଧିକ ଗାର୍ଡ ଥିଲେ ମଧ୍ୟ ବୃଦ୍ଧା ମହିଳାଙ୍କୁ କାହିଁକି ସାହାଯ୍ୟ ମିଳିଲା ନାହିଁ କାହିଁକି ? ତେବେ ଏହି ବିଷୟରେ ସେ ପାଟି ଖୋଲିବାରୁ ତାଙ୍କୁ ଗାର୍ଡ ଲାଠି ଦ୍ୱାରା ମାଡ଼ ମାରିଥିଲେ।

ମାଣ୍ଡଭିୟ କହିଛନ୍ତି, ଏହି ପୂରା ଘଟଣାକ୍ରମ ବିଷୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହା ଶୁଣି ବିଚଳିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋତେ ପ୍ରଶ୍ନ କରିଥିଲେ ଯେ, ଗାର୍ଡଙ୍କୁ ନିଲମ୍ବିତ କରାଗଲା କି ନାହିଁ। ଉତ୍ତରରେ ମାଣ୍ଡଭିୟ କହିଛନ୍ତି, ସେ ଗାର୍ଡଙ୍କୁ ଏଥିପାଇଁ ସସପେଣ୍ଡ କଲେ ନାହିଁ କାରଣ ସେ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ପୂରା ବ୍ୟବସ୍ଥାରେ ସୁଧାରିବାକୁ ଚାହାନ୍ତି।

Leave a Reply

Your email address will not be published. Required fields are marked *