କରୋନା ମହାମାରୀ ମୁକାବିଲା ପାଇଁ ଲକ୍ଡାଉନ୍ ଏବଂ ଲକ୍ଡାଉନ୍ ଯୋଗୁ ନାନା କଟକଣା । ଏହି କଟକଣା ଟ୍ରେନ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି । ଆରମ୍ଭରୁ କେବଳ ମାଲବାହୀ ଟ୍ରେନ୍ ଚାଲିଥିବାବେଳେ ମଇ ୧ ତାରିଖରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଥିଲା । ଏହାବ୍ୟତୀତ କେତେଟା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ମଧ୍ୟ ରେଳଧାରଣାରେ ଗଡ଼ିଥିଲା ହେଲେ ବର୍ତ୍ତମାନ ରେଳବାଇ ବୋର୍ଡ଼ ନେଲେ ଏକ ବଡ଼ ନିଷ୍ପତ୍ତି । ଆସନ୍ତା ଅଗଷ୍ଟ ୧୨ ତାରିଖ ଯାଏଁ ନିୟମିତ ଚାଲୁଥିବା ସମସ୍ତ ମେଲ, ଏକ୍ସପ୍ରେସ, ଯାତ୍ରୀବାହୀ ଏବଂ ଇଣ୍ଟରସିଟି ସେବା ବନ୍ଦ ରହିବ ।
ରେଳବାଇ ବୋର୍ଡ଼ ଦେଇଥିବା ସୂଚନା ଅନୁଯାୟୀ ଭାରତୀୟ ରେଳବାଇ ନିୟମିତ ଟ୍ରେନ ପାଇଁ ଅପ୍ରେଲ ୧୪ ତଥା ତା ପୂର୍ବରୁ ବୁକ୍ ହୋଇଥିବା ସମସ୍ତ ଟିକେଟକୁ ବାତିଲ କରିବାକୁ ଘୋଷଣା କରିଛି । ଏହାସହିତ ବୁକ୍ କରିଯାଇଥିବା ଟିକେଟର ପୂରା ଧନରାଶି ଫେରସ୍ତ କରିବାକୁ ମଧ୍ୟ କହିଛି । ରେଳ ମନ୍ତ୍ରାଳୟ ନିର୍ଦ୍ଧାରଣ କରିଛନ୍ତି ଯେ ଟିକେଟର ପୂରା ଧନରାଶି ଫେରସ୍ତ କରାଯିବ । ଏହାସହିତ ରେଳବାଇ ବୋର୍ଡ଼ ନିର୍ଦ୍ଧାରଣ କରିଛନ୍ତି ଯେ ଜୁଲାଇ ୧ରୁ ଅଗଷ୍ଟ ୧୨ ଯାଏଁ ରେଳ ଯାତ୍ରା ପାଇଁ ବୁକ୍ ହୋଇଥିବା ସମସ୍ତ ଟିକେଟ ବାତିଲ କରାଯିବ ।