ଗୋଟିଏ ଡାକ୍ତରୀ ପରୀକ୍ଷା ବଦଳାଇ ଦେଲା ପୁରା ପରିଚୟ, ପୁରୁଷ ନା ମହିଳା ସେ ଏବେ ନିଜେ ଦ୍ଵନ୍ଦ୍ଵରେ : ପଢନ୍ତୁ ପୁରା ଖବର

କୋଲକାତା : ସମାଜରେ ସାମାଜିକତା ଓ ଗ୍ରହଣୀୟତା ଦୁଇଟି ମୂଳ ଜିନିଷ ଯାହାକୁ ଆଧାର କରି ମହିଳା ଓ ପୁରୁଷ ବାନ୍ଧି ହୁଅନ୍ତି ସମ୍ପର୍କରେ । କିନ୍ତୁ ଯେତେବେଳେ ପ୍ରଘଟ ହୁଏ ସତ, ସେତେବେଳେ ସବୁକିଛି ଟଳମଳ । ଏଇ ଯେମିତି ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏ ଘଟଣା । ୯ ବର୍ଷ ହେଲାଣି ବାହାଘର ହେଇଛି, ବିଗତ ୩୦ ବର୍ଷ ଧରି ଗୋଟିଏ ମହିଳାର ପରିଚୟ ନେଇ ବଞ୍ଚିଛନ୍ତି ହେଲେ ହଠାତ ବଦଳିଯାଇଛି ସାରା ପୃଥିବୀ ତାଙ୍କ ପାଇଁ ।

ଘଟଣାଟି ଏହିପରି । ଜନୈକା ମହିଳା ଜଣଙ୍କ ତଳି ପେଟରେ ଦରଜ ହୁଏ ଓ ସେ ଯାଞ୍ଚ କରିବା ପାଇଁ ଯାଆନ୍ତି ହସ୍ପିଟାଲ । ସେଠାରେ ପରୀକ୍ଷା ପରେ ଯେଉଁ ରିପୋର୍ଟ ଆସେ ତାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦିଏ । କାରଣ ରିପୋର୍ଟ କୁହେ ସେ ମହିଳା ଜଣକ ଜଣେ ମହିଳା ନୁହନ୍ତି ବାସ୍ତବରେ ଜଣେ ପୁରୁଷ । ଆଜ୍ଞା ହଁ, ସେ ଜଣେ ପୁରୁଷ ଯାହାର ଅଣ୍ଡକୋଷରେ କ୍ୟାନ୍‌ସର୍ ହୋଇଛି ।

ଗତ କିଛି ମାସ ହେବ ତାଙ୍କ ତଳି ପେଟରେ ବହୁତ ଜୋରରେ ଯନ୍ତ୍ରଣା ହେଉଥିଲା ଯେଉଁ କାରଣରୁ ଜନୈକା ମହିଳା ଜଣଙ୍କ ବୀରଭୂମ ସ୍ଥିତ ନେତାଜୀ ସୁଭାଷଚନ୍ଦ୍ର ବୋଷ କ୍ୟାନସର ହସ୍‌ପିଟାଲ୍‌କୁ ଯାଇଥିଲେ । ଡାକ୍ତର ଅନୁପମ ଦତ୍ତ ଓ ସୌମେନ ଦାସ ତାଙ୍କର ସମସ୍ତ ମେଡିକାଲ୍ ପରୀକ୍ଷା କରି ତାଙ୍କୁ କ୍ୟାନ୍‌ସର୍ ହୋଇଥିବା ସହିତ ସେ ଜଣେ ପୁରୁଷ ବୋଲି ଜାଣିବାକୁ ପାଇଥିଲେ ।

ବାହାରୁ ଜଣେ ସଂପୂର୍ଣ୍ଣ ମହିଳା ପରି  ଦିଶୁଥିଲେ ବି ତାଙ୍କ ଶରୀରରେ ଗର୍ଭାଶୟ କି ଡିମ୍ବାଶୟ ବଦଳେ ଥିଲା ଅଣ୍ଡକୋଷ । ଯଦିଓ ତାଙ୍କ ସ୍ୱର ମହିଳାଙ୍କ ଭଳି, ସ୍ତନ ଓ ଯୌନାଙ୍ଗ ମଧ୍ୟ ମହିଳାଙ୍କ ଭଳି ତଥାପି ତାଙ୍କର କେବେ ମାସିକ ଋତୁସ୍ରାବ ହୋଇନାହିଁ ଯାହା ନିହାତି ରୂପେ ଏକ ବିରଳ ସ୍ଥିତି । ଡାକ୍ତର ଅନୁପମ ଦତ୍ତଙ୍କ କହିବାନୁଯାୟୀ ପ୍ରତି ୨୨ ହଜାର ଲୋକଙ୍କ ଭିତରେ ଜଣେ ଏଭଳି ସ୍ଥିତିରେ ଥିବା ଦେଖିବାକୁ ମିଳେ ଓ ଏହାକୁ Androgen Insensitivity Syndrome ବୋଲି କୁହନ୍ତି ।

ଡାକ୍ତର ଦତ୍ତଙ୍କ କହିବାନୁଯାୟୀ ରୋଗୀଙ୍କ କ୍ୟାନ୍‌ସର୍ ପାଇଁ କେମୋଥେରାପି ଚାଲିଛି । ଯେହେତୁ ସେମାନେ ବହୁଥର ସନ୍ତାନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ତେଣୁ ଉଭୟ ରୋଗୀ ଓ ତାଙ୍କ ସ୍ୱାମୀଙ୍କର କାଉନ୍‌ସେଲିଂ ବି ଚାଲିଛି । ଗତ ୯ ବର୍ଷ ପରି ଆଗକୁ ବି ସେମିତି ସ୍ଵାମୀ ସ୍ତ୍ରୀ ହେଇ ବଞ୍ଚିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଉଛି ।

ଏହା କେବଳ ଉକ୍ତ ଜନୈକା ମହିଳାଙ୍କ ସହିତ ହୋଇନି ବରଂ ତାଙ୍କ ୨୮ ବର୍ଷୀୟା ଭଉଣୀ ତଥା ଦୁଇ ଜଣ ମାଉସୀଙ୍କ ସହିତ ବି ଘଟିଛି । ଏହା ଏମିତି ଏକ ସ୍ଥିତି ଯେଉଁଥିରେ ଜଣେ ବ୍ୟକ୍ତି ପୁରୁଷ ହୋଇ ଜନ୍ମ ହୋଇଥାଏ ସତ କିନ୍ତୁ ତା’ର ଶରୀର ମହିଳାଙ୍କ ଭଳି ବିକଶିତ ହୋଇଥାଏ ଓ ଏହା ସେମାନଙ୍କ ଜିନ୍‌ରେ ରହିଛି ବୋଲି ଡାକ୍ତର ଦତ୍ତ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *