ନୂଆଦିଲ୍ଲୀ : LIC (ଜୀବନ ବୀମା ନିଗମ ଅଫ୍ ଇଣ୍ଡିଆ)ର ସ୍ୱତନ୍ତ୍ର ଯୋଜନାରେ ସାମିଲ ହେଲା “ଜୀବନ ଶାନ୍ତି” ଯୋଜନା । ଏହାର ବିଶେଷତ୍ଵ ହେଉଛି ଜଣେ ବ୍ୟକ୍ତି ଯଦି ଏହି ଯୋଜନାରେ ପୁଞ୍ଜି ବିନିଯୋଗ କରିବ ତେବେ ସେ ବାକିତକ ଜୀବନ ପେନସନ ପାଇପାରିବ । ଏହି ଯୋଜନା ଗ୍ରାହକମାନଙ୍କ ଭବିଷ୍ୟତ ସୁରକ୍ଷାକୁ ପେନସନ ମାଧ୍ୟମରେ ଦେଇଥାଏ ।
ଧରାଯାଉ ୫୦ ବର୍ଷର ବୟସ୍କ ବ୍ୟକ୍ତି ଜଣେ ଏହି ଯୋଜନାରେ ୧୦,୧୮,୦୦୦ ଟଙ୍କା ବିନିଯୋଗ କରୁଛନ୍ତି, ତେବେ ତାଙ୍କୁ ତୁରନ୍ତ ବାର୍ଷିକ ୬୫,୬୦୦ ଟଙ୍କା ପେନସନ ଆକାରରେ ମିଳିବ । କିନ୍ତୁ ଏହା ସହିତ ମଧ୍ୟ ରହିଛି କିଛି ସର୍ତ୍ତ । “ଜୀବନ ଶାନ୍ତି” ଯୋଜନା ଏକ ସଂଯୁକ୍ତ ଯୋଜନା ନୁହେଁ । ଏହା ହେଉଛି ଏକ ପ୍ରିମିୟମ ବାର୍ଷିକ ଯୋଜନା । ଏହି ଯୋଜନାରେ ବୀମା ଧାରକଙ୍କ ପାଇଁ ରହିଛି ବିକଳ୍ପ ବାଛିବାର ସୁଯୋଗ । ତୁରନ୍ତ ବାର୍ଷିକ କିମ୍ବା ବିଳମ୍ବିତ ବାର୍ଷିକ ଭିତରୁ ଯେକୌଣସି ଗୋଟିଏକୁ ବାଛି ପାରିବେ ବୋଲି LIC ର ଚେୟାରମ୍ୟାନ ଭି.କେ. ଶର୍ମା କହିଛନ୍ତି ।
ଅନଲାଇନ କିମ୍ବା ଅଫଲାଇନରେ କିଣିଥିବା ଯୋଜନା :
ଏହି ଯୋଜନା ଅଫଲାଇନ ସହିତ ଅନଲାଇନରେ ବି କିଣା ଯାଇପାରିବ । LIC ର “ଜୀବନ ଶାନ୍ତି” ଯୋଜନା ଏକ ବିସ୍ତୃତ ବାର୍ଷିକ ଯୋଜନା, ଯେଉଁଥିରୁ ବ୍ୟକ୍ତି ତଥା ତାଙ୍କ ପରିବାରବର୍ଗ ମଧ୍ୟ ଲାଭ ଉଠାଇ ପାରିବେ ।
“ଜୀବନ ଶାନ୍ତି” ଯୋଜନାର ବିଶେଷତ୍ଵ :
LIC ଏଜେଣ୍ଟ୍ (କର୍ମନିର୍ବାହକ ପ୍ରତିନିଧି) ରାଜେଶ କୁମାର ତ୍ୟାଗିଙ୍କ କହିବାନୁଯାୟୀ, “ଜୀବନ ଶାନ୍ତି” ଯୋଜନା LIC ର ଏକ ଚମତ୍କାର ଯୋଜନା । ଏହା ହେଉଛି ଏକ ପ୍ରିମିୟମ୍ ଜମା ପେନସନ ଯୋଜନା । ଏଥିରେ ରହିଛି,
- ଋଣର ସୁବିଧା
- ୩ ମାସ ପରେ କୌଣସି ଡାକ୍ତରୀ ଦଲିଲ୍ ନଦେଇ ବି ଛାଡ଼ି ପାରିବେ ଯୋଜନା
- ତୁରନ୍ତ କିମ୍ବା ବର୍ଷେରୁ କୋଡ଼ିଏ ବର୍ଷ ଭିତରେ ଯେକୌଣସି ସମୟରେ ଆରମ୍ଭ କରିପାରିବେ ପେନସନ
- ମିଳିତ ଜୀବନ ବିକଳ୍ପରେ ଅନ୍ତର୍ଭୁକ୍ତ କରାଇପାରିବେ ଯେକୌଣସି ଘନିଷ୍ଠ ସମ୍ପର୍କୀୟଙ୍କୁ
- “ଅକ୍ଷୟ VI” ଭଳି “ଜୀବନ ଶାନ୍ତି” ଯୋଜନାର ତୁରନ୍ତ ପେନସନ ବ୍ୟବସ୍ଥା
- ୫ ବର୍ଷରୁ ୨୦ ବର୍ଷ ଭିତରେ ୯.୧୮ପ୍ରତିଶତରୁ ୧୯.୨୩ ପ୍ରତିଶତ ପର୍ଯ୍ୟନ୍ତ ଆଜୀବନ ଗ୍ୟାରେଣ୍ଟି
- ଆୟକର ଛାଡ଼