ସଂସ୍କାର: ସରିଛି ପୌର ଏବଂ ପଂଚାୟତ ନିର୍ବାଚନ। ଉଭୟ ନିର୍ବାଚନରେ ଶାସକ ଦଳ ବିଜେଡିର ଦବଦବା ଦେଖିବାକୁ ମିଳିଛି। ପଞ୍ଚାୟତ ପରେ ପୌର ନିର୍ବାଚନ ଫଳାଫଳରେ ବିଜେଡି ଦଳ ପୁରା ଖୁସି। କାରଣ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ ହେବା ପାଇଁ ହେଲେ ଏହି ଦୁଇ ନିର୍ବାଚନରେ ବିଜୟ ହାସଲ କରିବାକୁ ପଡିଥାନ୍ତା। ଆଉ ଏହି ଦୁଇ ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦେଇଛି ବଡ ସଙ୍କେତ। ଯଦିଓ ବିଜେଡି ପଞ୍ଜାୟତ ଭଳି ପୌର ନିର୍ବାଚନରେ ବି ଦବଦବା ଜାହିର କରିଛି ତଥାପି ପୋୖରାଅଞ୍ଚଳ ଭୋଟ ପ୍ରତିଶତ ଦେଖି ଶାସକ ଦଳ ବିଜେଡି ଛାତିରେ ପଶିଛି ଛାନିଆ।
ଯଦି ଆମେ ପୋୖରାଅଞ୍ଚଳ ନିର୍ବାଚନ ଉପରେ ଦୃଷ୍ଟି ଦେବା ତେବେ, ୧୦୮ ପୌରାଞ୍ଚଳ ଆସନ ମଧ୍ୟରୁ ଶାସକ ଦଳ ୭୬ଟି ଆସନ ପାଇଥିବା ବେଳେ ବିଜେପି ୧୬ ଟି ଆସନ ପାଇଛି। ଆଉ ଏହାରି ମଧ୍ୟରେ କଂଗ୍ରେସ ୭ଟି ଓ ସ୍ବାଧୀନ ଦଳ ୯ଟି ଆସନରେ ବିଜୟ ହାସଲ କରିଛନ୍ତି। ତିନି ମହାନଗର ନିଗମରେ ମୋଟ ୬ ଲକ୍ଷ ୯୨ ହଜାର ୩୮୬ ଭୋଟିଂ ହୋଇଛି । ଯାହା ଭିତରୁ ୩ ଲକ୍ଷ ୫୪ ହଜାର ୧୯୨ ଖଣ୍ଡ ଭୋଟ ବିଜେଡି ଖାତାରେ ପଡିଛି। ଅର୍ଥାତ ମୋଟ ଭୋଟର ୫୧.୧୫ ପ୍ରତିଶତ ଭୋଟ ଶାସକ ଦଳ ବିଜେଡି ପାଇଛି। ସେହିପରି ବିଜେପି ପାଇଛି ୨ ଲକ୍ଷ ୮ ହଜାର ୪୨୪ ଖଣ୍ଡ ଭୋଟ। ଅର୍ଥାତ ମୋଟ ଭୋଟର ୩୦.୧୦ ପ୍ରତିଶତ ଭୋଟ ବିଜେପି ପ୍ରାଥୀ ଅକ୍ତିଆର କରିଛନ୍ତି।
ସେହିପରି କଂଗ୍ରେସ ୮୬ ହଜାର ୧୩୦ ଖଣ୍ଡ ଭୋଟ ଅର୍ଥାତ ୧୨.୪୩ ପ୍ରତିଶତ ପାଇଥିବା ବେଳେ ଅନ୍ୟାନ୍ୟ ଖାତା କୁ ଯାଇଛି ୪୩ ହଜାର ୬୪୦ ଖଣ୍ଡ ଭୋଟ। ଅର୍ଥାତ ମୋଟ ଭୋଟର ୬.୩୦ ପ୍ରତିଶତ ଭୋଟ ଅନ୍ୟାନ୍ୟ ସ୍ୱାଧୀନ ଦଳ ନେଇଛନ୍ତି। ଏତତ୍ ବ୍ୟତୀତ ପୋରାଧକ୍ଷ କ୍ଷେତ୍ରରେ ମୋଟ ୧୭ ଲକ୍ଷ ୮୭ ହଜାର ୭୯୮ ଭୋଟ ହୋଇଛି । ଯାହା ମଧ୍ୟରୁ ବିଜେଡି ୮ ଲକ୍ଷ ୫୫ ହଜାର ଭୋଟ ଅର୍ଥାତ ୪୮ ପ୍ରତିଶତ ପାଇଥିବା ବେଳେ, ବିଜେପି ୫ ଲକ୍ଷ ୧୫ ହଜାର ୬୪୯ ଭୋଟ ଅର୍ଥାତ ୨୯ ପ୍ରତିଶତ ଭୋଟ ପାଇଛି। ସେହିପରି କଂଗ୍ରେସ ୨ ଲକ୍ଷ ୧୮ ହଜାର ୧୧୪ ଭୋଟ ଅର୍ଥାତ ୧୨ ପ୍ରତିଶତ ପାଇଥିବା ବେଳେ ଅନ୍ୟାନ୍ୟଙ୍କୁ ମିଳିଛି ୧୦ ପ୍ରତିଶତ। ସେପଟେ ଶାସକ ଦଳର ପୌର ଆଉ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ପରେ ବି ଅନେକ ସ୍ଥାନରେ ଦଳର ହେଭିଓ୍ବେଟ ନେତାମାନେ ଜିତିବାକୁ ହୋଇଛନ୍ତି ଅସମର୍ଥ। ଏପରିକି ବିଜେଡିର ଗଡ କୁହାଯାଉଥିବା ଗଂଜାମ ଜିଲ୍ଲାରେ ବି ଧସେଇ ପଶିଛି ବିଜେପି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମର ଫଳାଫଳ ଉପରେ ଯଦି ଆମେ ଦୃଷ୍ଟି ଦେବା ତେବେ, ଜିଲ୍ଲାର ୧୭ ଟି ପୌରାଧକ୍ଷ ଆସନ ମଧ୍ୟରୁ ଛତ୍ରପୁର, ରମ୍ଭା,କୋଦଳା ଆସନ ବିଜେପି ଦଖଲ କରିଥିବା ବେଳେ ଗଞ୍ଜାମ ଓ ପୁରୋଷତମପୁର ସ୍ବାଧିୀନ,ଦିଗପହଣ୍ଢି କଂଗ୍ରେସ କବ୍ଜା କରିଛି। ଆଉ ଏହାରି ମଧ୍ୟରେ ସବୁଠୁ ବଡ କଥା ହେଉଛି ହିଞ୍ଜିଳିରେ ବି ଶାସକ ଦଳକୁ ମାତ ଦେଇଛି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ବହୁ ଟାଣୁଆ ନେତା ରହିଛନ୍ତି ଏହି ଜିଲ୍ଲାରେ, ଯେମିତିକି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶ ଦାତା ଗୋପବନ୍ଧୁ ଦାସ, ବାଚସ୍ପତି ସୁର୍ଯ୍ୟ ନାରାୟଣ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ତେବେ ଶଙ୍ଖ ଗଡ କୁହାଯାଇଥିବା ଗଞ୍ଜାମରେ ଏପରି ଫଳାଫଳ ଶାସକ ଦଳକୁ ବଡ ଝଟକା ଦେଇଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଖୁବଶୀଘ୍ର ଜିଲ୍ଲାର ନେତୃତ୍ବ ବୃନ୍ଦଙ୍କୁ ଡାକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ନେଇ ପାରନ୍ତି ବଡ ଆକ୍ସନ।
ସେହିପରି ପଶ୍ଚିମଠାରୁ ଆରମ୍ଭ କରି ଦକ୍ଷିଣ କିମ୍ବା ଉପକୁଳ ଓଡିଶା ସବୁଠି ଫେଲ ମାରିଛନ୍ତି BJD ଦଳର ଅନେକ ହେଭିଓ୍ବେଟ । ପଶ୍ଚିମ ଓଡିଶାରେ ମନ୍ତ୍ରୀ ନବ ଦାସ, ଟୁକୁନି ସାହୁ, ସୁଶାନ୍ତ ସିଂ, ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମହିଳା ସଭାପତି ସ୍ନେହାଙ୍ଗୀନ ଛୁରିଆ, ଦଳର ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ଦଳର ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ନିଜ ଗଡ ବଞ୍ଚାଇ ପାରି ନାହାନ୍ତି ।
ଏହା ବାଦ୍ ଦକ୍ଷୀଣରେ ବି ମନ୍ତ୍ରୀ ପଦ୍ନୀନ ଦିଆନ, ସାଂସଦ ରମେଶ ମାଝୀ, ଟାଣୁଆ ନେତା କହୁଯାଉଥିବା ପ୍ରଦୀପ ମାଝୀ ବି ମାଡି କାମୁଡି ତଳେ ପଡିଛନ୍ତି। ସେହିପରି ଉପକୂଳରେ ବି ବିଧାୟକ ପ୍ରାଶନ୍ତ ମୁଦୁଲି,ସୌମ୍ୟ ରଞ୍ଜନ ପଟ୍ଟନାୟକ, ସଞ୍ଜିବ ସାହୁଙ୍କ ଭଳି ଅନେକ ବଡ ବଡ ନେତାଙ୍କ ରାଜନୀତି ଗୋଟି ଚାଳନା କାମ କରିନି । ଉଭୟ ନିର୍ବାଚନରେ ଏତେ ପରିମାଣର ଭୋଟ ହାତେଇ ବି ସନ୍ତୁଷ୍ଟ ନୁହନ୍ତି ଶାସକ ଦଳର ସୁପ୍ରିମୋ। ତେଣୁ ଖୁବଶୀଘ୍ର ଏକ ବୈଠକ ଡକାଇ ଏହା ଉପରେ ଆଲୋଚନା ହେବ ବୋଲି ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ଆଉ ଯାହା ପରେ ଦଳରେ ବହୁତ ମନ୍ତ୍ରୀଙ୍କ ଅଦଳବଦଳ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।