ସଂସ୍କାର : ପଦ୍ମ ଛାଡିବେ ବରୁଣ ଗାନ୍ଧୀ। ରାଜନୀତି ମହଲରେ ଚାଲିଛି ଏହାକୁ ନେଇ ଆଲୋଚନା। ବିଜେପି ନେତା ତଥା ସାଂସଦ ବରୁଣ ଗାନ୍ଧୀ ବିଜେପି ଦଳରୁ ବାହାରିବା ପାଇଁ ମନସ୍ଥ କରିଛନ୍ତି। ସେ ନିକଟରେ ଶିବସେନାର ସାଂସଦ ସଞ୍ଜୟ ରାଉତଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କର ଏହି ସାକ୍ଷାତ ପରେ ବରୁଣ ଗାନ୍ଧୀ ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି।
ଅନ୍ୟପଟେ ସଞ୍ଜୟ ରାଉତ ନିଜେ ନିଶ୍ଚିତ କରିଛନ୍ତି ଯେ ସେ ଓ ବରୁଣ ଗାନ୍ଧୀ ସାକ୍ଷାତ କରିଛନ୍ତି, କେବଳ ସାକ୍ଷାତ ନୁହେଁ ରାଜନୈତିକ ଆଲୋଚନା ମଧ୍ୟ କରିଛନ୍ତି । ରାଉତଙ୍କ ଏହି ବୟାନ ପରେ ବରୁଣ ଗାନ୍ଧୀ ବିଜେପି ଛାଡ଼ି ଶିବସେନାରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇସାରିଛି ।
ସଞ୍ଜୟ ରାଉତ କହିଛନ୍ତି ଯେ, ଦୀର୍ଘ ଦିନରୁ ଏହି ସାକ୍ଷାତ ପାଇଁ ପ୍ରୟାସ ଚାଲୁଥିଲା । କିନ୍ତୁ ସମୟ ସ୍ଥିର ହୋଇପାରୁ ନଥିଲା । ଭବିଷ୍ୟତରେ ମଧ୍ୟ ଆମେ ଏହିପରି ସାକ୍ଷାତ ଜାରି ରଖିବୁ ବୋଲି ସେ କହିଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ରାଉତଙ୍କର ଘନିଷ୍ଠ ସମ୍ପର୍କ ରହିଛି ।
ସଞ୍ଜୟ ରାଉତ କହିଛନ୍ତି ଯେ, ବରୁଣ ଗାନ୍ଧୀଙ୍କ ସହ ମୁଁ ଅନେକ ପ୍ରସଙ୍ଗରେ ଆଲୋଚନା କରିଛି । ସେ ଜଣେ ମହାନ ଲେଖକ, ଭଲ ପୁସ୍ତକ ଲେଖନ୍ତି । ଅନେକ ବିଷୟ ଉପରେ ମଧ୍ୟ ଅନେକ ଆଲୋଚନା କରନ୍ତି । ଏହିପରି ସାକ୍ଷାତରେ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସ୍ୱାଭାବିକ। ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ମଙ୍ଗଳବାର ପ୍ରାୟ ତିନି ଘଣ୍ଟା ଧରି ବୈଠକ ଚାଲିଥିଲା ।