ରାଞ୍ଚି : ଝାରଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋଙ୍କର ଏକ ବୟାନକୁ ନେଇ ରାଜନୀତି ମାହୋଲରେ ଉଠିଛି ଝଡ଼ । କଂଗ୍ରେସ ଦଳରେ ଥାଇ ମଧ୍ୟ ରାଜସ୍ୱ ମନ୍ତ୍ରୀ ରାମେଶ୍ୱର ଉରାଂବ ଏହାର ପ୍ରତିରୋଧ କରିଛନ୍ତି ଏବଂ କହିଛନ୍ତି ଯେ ଶିକ୍ଷାମନ୍ତ୍ରୀ ଦେଇଥିବା ବୟାନ ସମ୍ପୂର୍ଣ୍ଣ ରୂପେ ଅସମ୍ୱିଧାନିକ । ଏହି ବୟାନ ଯଦି କାର୍ଯ୍ୟକାରୀ ହୁଏ ତେବେ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସରକାରୀ ଚାକିରିରୁ ବଞ୍ଚିତ ହେବେ । ଏହାର ବ୍ୟବହାରିକ ରୂପେ ଆଦୌ ସମ୍ଭବପର ନୁହେଁ ।
ଶିକ୍ଷାମନ୍ତ୍ରୀ ଜଗରନାଥଙ୍କର ଏହି ବିବାଦୀୟ ବୟାନ ନେଇ ସେ ଏବେ ଚର୍ଚ୍ଚାରେ । ଶିକ୍ଷାମନ୍ତ୍ରୀଙ୍କ ଉକ୍ତ ବିବାଦୀୟ ବୟାନଟି ହେଲା, କେବଳ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ହିଁ ସରକାରୀ ଚାକିରି ମିଳିବ, ଅନ୍ୟଥା ନୁହେଁ । ସେ ଏନେଇ ରାଜ୍ୟ ସରକାରଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି ବୋଲି ବି ସୂଚନା ଦେଇଛନ୍ତି ।
ଏହାବ୍ୟତୀତ ଶିକ୍ଷାମନ୍ତ୍ରୀ ଆହୁରି ବି କହିଛନ୍ତି ଯେ ଶିକ୍ଷକତା ବ୍ୟତୀତ ଶିକ୍ଷକମାନେ ଆଉ କୌଣସି ଭିନ୍ନ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ । ଯେଉଁ ଶିକ୍ଷକମାନେ ଅନ୍ୟାନ୍ୟ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ସେମାନଙ୍କୁ ମଧ୍ୟ ସେଥିରୁ ବିରତ କରାଯିବ । ଯାହାଫଳରେ ଶିକ୍ଷକମାନେ ସମ୍ପୂର୍ଣ୍ଣ ଭାବରେ ଶିକ୍ଷା ଦାନ ପ୍ରତି ନିଜର ଧ୍ୟାନ ଦେଇପାରିବେ ।
କିନ୍ତୁ ଶିକ୍ଷାମନ୍ତ୍ରୀ ଜଗରନାଥଙ୍କ ଏ ପ୍ରକାର ବୟାନ କେବଳ ବିରୋଧୀ ଦଳରେ ନୁହେଁ ବରଂ ନିଜ ସରକାରରେ ଥିବା ଅନ୍ୟ ମନ୍ତ୍ରୀମାନେ ଗ୍ରହଣ କରିନାହାନ୍ତି । କଂଗ୍ରେସର ରାଜସ୍ୱ ମନ୍ତ୍ରୀଙ୍କ କହିବାନୁଯାୟୀ ଶିକ୍ଷକମାନଙ୍କୁ ଅନ୍ୟ କାର୍ଯ୍ୟରୁ ନିବୃତ୍ତ କରିବାର ଏ ନିଷ୍ପତ୍ତି ନିହାତି ସ୍ୱାଗତଯୋଗ୍ୟ ଯାହା ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । ମାତ୍ର କେବଳ ସରକାରୀ ସ୍କୁଲ ପିଲା ସରକାରୀ ଚାକିରି କରିବେ ଏହା ଗ୍ରହଣୀୟ ନୁହେଁ ।
ଏ ବିବାଦ ଏତେ ବଢିଲାଣି ଯେ ଏହି ବୟାନକୁ ଭିତ୍ତି କରି ଝାରଖଣ୍ଡର ପ୍ରମୁଖ ବିରୋଧୀ ପାର୍ଟି ‘ବିଜେପି’ ଶିକ୍ଷାମନ୍ତ୍ରୀଙ୍କୁ ଘେରାଉ କରିଛି । ବିଜେପିର କହିବା କଥା ଯେ ଏ ବୟାନ ଶିକ୍ଷାମନ୍ତ୍ରୀଙ୍କର ପିଲାଳିଆମି କେବଳ । ଏମିତିକି ବିଜେପି ବିଧାୟକ ସିପି ସିଂ କହିଛନ୍ତି ଯେ ଯଦି ଦମ୍ ଅଛି, ତେବେ ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ସରକାର ମିଶି ସମସ୍ତ ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ କରି ଦେଖାନ୍ତୁ !