ସଂସ୍କାର : କିଏ ହେବେ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ। ରାହୁଲ ଗାନ୍ଧୀ ନା ଆଉ କିଏ? ନା ସୋନିଆ ଛାଡିବେନି ଡୋରି ? ୨୮ ରେ ସ୍ପଷ୍ଟ ହୋଇଯିବ ଏହି ଚିତ୍ର । ଯଦି ସବୁକିଛି ଠିକ୍ ରୁହେ ତେବେ ଅଗଷ୍ଟ ୨୮ରେ କଂଗ୍ରେସକୁ ମିଳିଯିବ ନୂଆ ଅଧ୍ୟକ୍ଷ। ଦଳ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ନେଇ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଦଳୀୟ ନିର୍ବାଚନ କମିଟିର ମୁଖ୍ୟ। କିନ୍ତୁ ଗୋଟେ ସପ୍ତାହ ବିତିଯାଇଥିଲେ ମଧ୍ୟ ଦଳରେ କୌଣସି ତତ୍ପରତା ଦେଖିବାକୁ ମିଳିପାରିନାହିଁ ।
ଏ ସବୁ ଭିତରେ ମଧ୍ୟ କଂଗ୍ରେସର ମୁଖ୍ୟ କିଏ ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି । ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳ ସୋନିଆ ଗାନ୍ଧୀଙ୍କ ଭରଷାରେ ଚାଲିଛି ହେଲେ ଏ ଯାଏ ଦଳ ତାର ମୁଖିଆଙ୍କୁ ଚୟନ କରିପାରୁନାହିଁ । ରାହୁଲ ଗାନ୍ଧୀ ଆଉ ଥରେ ଦଳକୁ ସମ୍ଭାଳନ୍ତୁ ବୋଲି ବରିଷ୍ଠ ନେତାମାନେ କହୁଥିଲେ ହେଁ ସେ ଘଟଣା ଉପରୁ ପରଦା ହଟାଉନାହାନ୍ତି ।
୨୦୧୯ ସାଧାରଣ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ଭାବେ କାମ କରୁଥିଲେ ହେଲେ ଦଳ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ରାହୁଲ ଗାନ୍ଧୀ ପଦ ଛାଡିଦେଇଥିଲେ । କିନ୍ତୁ ଏବେ ତାଙ୍କୁ ପୁଣି ଦାୟିତ୍ୱ ନେବାକୁ ଅନେକ ନେତା କହୁଛନ୍ତି । ହେଲେ ଏତେ ସବୁ ବିତିଯାଇଥିଲେ ମଧ୍ୟ ସେ ପୁଣି ଦାୟିତ୍ୱ ନେବେ କି ନାହିଁ ତାହା ଏବେ ଏକ ବଡ ପ୍ରଶ୍ନ ।
ଚର୍ଚ୍ଚା ହେଉଛି ଅଧ୍ୟକ୍ଷ ପଦ ଦୌଡରେ ସୁଶୀଲ କୁମାର, ମଲ୍ଲିକା ଅର୍ଜୁନ ଖଡଗେ, ମୁକଲ,ପୂର୍ବତନ ବାଚସ୍ପତି ମୀରା କୁମାରୀ , ଗେହଲଟ ପ୍ରମୁଖଙ୍କ ନାଁ ରହିଛି । ସବୁଠାରୁ ବଡ କଥା ବରିଷ୍ଠ ନେତ୍ରୀ ଅମ୍ବିକା ସୋନୀ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ପତାକା ଉତୋଳନ କରିଥିଲେ । ତେଣୁ ଅଧ୍ୟକ୍ଷ ଦୌଡରେ ତାଙ୍କ ନାଁ ମଧ୍ୟ ରହିଛି । ଶେଷରେ ସମୟ ଆସିଲେ ଜଣାପଡିବ କଂଗ୍ରେସ ର ଅଧ୍ୟକ୍ଷ କିଏ ହେଉଛି? ଏହି ଚିତ୍ର ୨୮ ଅଗଷ୍ଟରେ ସ୍ପଷ୍ଟ ହୋଇଯିବ ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି।