ଗୁଜୁରାଟରେ ଚାଲିଛି “ସ୍ୱପ୍ନ” ବିକାକିଣା ରାଜନୀତି, ଶାହାଙ୍କ ସ୍ୱପ୍ନ ଭାଙ୍ଗୁଛନ୍ତି କି କେଜ୍ରିୱାଲ୍ ?

ସଂସ୍କାର : ଗୁଜୁରାଟରେ ଚଳିତବର୍ଷ ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି। ଆମ୍ ଆଦମି ପାର୍ଟି ଏଠାରେ ନିର୍ବାଚନୀ ପ୍ରଚାର ଆରମ୍ଭ ଜୋରଦାର କଲାଣି। କେଜ୍ରିୱାଲ୍ ଅହମ୍ମଦବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ଗୁଜରାଟ ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ବିଜୟୀ ହେବ ବୋଲି କେଜ୍ରିୱାଲ କହିଛନ୍ତି।

ଏଥିସହ ନୂଆ ନାରା ଦେଇ ସେ କହିଛନ୍ତି ଆଉ ଦୁଇ ମାସ ଭିତରେ ବିଜେପି ଯାଉଛି ଆପ ଆସୁଛି । ଆମ ଝାଡୁରେ ଆମେ ଖରାପ ଫୁଲକୁ ରାସ୍ତାରୁ ହଟାଇବୁ। ଏଥିସହ କଂଗ୍ରେସକୁ କଟାକ୍ଷ କରି କେଜ୍ରିୱାଲ କହିଛନ୍ତି କି କଂଗ୍ରେସର ପତନ ହୋଇସାରିଛି। ବର୍ତ୍ତମାନ ବିଜେପିର ପାଳି। ନିର୍ବାଚନରେ କଂଗ୍ରେସ ସହ ଆପର କୌଣସି ଲଢେଇ ନାହିଁ। ଯଦି ଲଢେଇ ହେବ ତେବେ ତାହା ଚୀର ପ୍ରତିଦ୍ୱନ୍ଦୀ ବିଜେପି ସହ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଗୁଜୁରାଟର ଜନତା ‘ସ୍ୱପ୍ନ ବିକିବା’ ଲୋକଙ୍କୁ ବାଛିବେ ନାହିଁ। ଯେଉଁମାନେ ସ୍ୱପ୍ନ ବିକ୍ରି କରନ୍ତି ସେ କଦାପି ଗୁଜୁରାଟରେ ଜିତିବେ ନାହିଁ ଏବଂ ଏଥର ପୁଣି ଗୁଜୁରାଟରେ ବିଜେପି ଦୁଇ-ତୃତୀୟାଂଶ ବହୁମତ ସହ ଜିତିବ ବୋଲି ଅମିତ ଶାହ କହିଛନ୍ତି।

ଆସନ୍ତା ଡ଼ିସେମ୍ବର ମାସରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ବର୍ତ୍ତମାନ ଏଠାରେ ସବୁ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେବା ସହ ପରସ୍ପର ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି।ଅନ୍ୟପଟେ କେଜ୍ରିୱାଲ ଗୁଜୁରାଟରେ ମାଗଣା ଶିକ୍ଷା, ବିଜୁଳି ଓ କୃଷକଙ୍କ ଋଣ ଛାଡ଼ ଭଳି ଅନେକ ପ୍ରତିଶ୍ରୁତି ଦେଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *