ସଂସ୍କାର : ବଳ ଗୋଟାଉଛି କି ଆମ୍ ଆଦମୀ ପାର୍ଟି। ଓଡିଶାରେ ବି କେଜ୍ରିୱାଲଙ୍କ କ୍ରେଜ୍ ! ବର୍ତ୍ତମାନ ଆପ୍ ଟାର୍ଗେଟରେ ଓଡିଶା। ବିଜେପି ପରେ ବର୍ତ୍ତମାନ ଓଡିଶା ଦଖଲ ପାଇଁ ଅଣ୍ଟା ଭିଡିଲାଣି ଆପ୍। ଓଡିଶା ହାତେଇବାକୁ ଆପ୍ କରୁଛି ରାଜନୈତିକ ଗୋଟି ଚାଳଣା। ଦିଲ୍ଲୀ ଆଉ ପଞ୍ଜାବ ପରେ ଓଡ଼ିଶାରେ ବି ଧୀରେଧୀରେ ସକ୍ରିୟ ହେଉଛି ଆପ୍ ।
ଦିଲ୍ଲୀ,ପଞ୍ଜାବ ପରେ ଗୁଜୁରାଟ ଆଉ ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟ ଉପରେ ନଜର ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଏଥିପାଇଁ କିନ୍ତୁ ନାହିଁ ନଥିବା ପରିଶ୍ରମ କରିବାକୁ ପଡିବ । ଦୀର୍ଘ ୨୫ ବର୍ଷ ଧରି ଯେଉଁ ଦଳକୁ ଭାଙ୍ଗିବାରେ ଜାତୀୟ ଦଳ ବି ସକ୍ଷମ ହେଲାନି ସେଠି ସରକାର ଗଢିବା ପାଇଁ ଆମ ଆଦମୀ ପାଇଁ ବଡ ଚ୍ୟାଲେଞ୍ଜ ।
ସାଢେ ୪କୋଟି ଓଡିଆଙ୍କ ବିଶ୍ୱାସ ଓ ଭରଷା ଜିତିବା ବି ଆପ୍ ପାଇଁ ଏତେ ସହଜ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ଭାବମୂର୍ତି ଆଗରେ ଆପ୍ ର କେଉଁ ରଣନୀତି ସଫଳ ହେବ ତାହାର ଅନ୍ଦାଜା ଲଗାଇବ କେଜ୍ରିୱାଲଙ୍କ ପାଇଁ ବହୁତ କଷ୍ଟ। ସେପଟେ କିନ୍ତୁ ଓଡିଶାରେ ଆପ୍ ଦଳର ନେତା ମାନେ ଘନଘନ ବୈଠକ କରି ନବୀନ ସରକାରଙ୍କ ବିଫଳତାକୁ ବଖାଣି ଜନମତ ହାସଲ କରିବାକୁ ପ୍ରୟାସ ଚଳାଇଛନ୍ତି ।
ଅନ୍ୟପଟେ ଦିଲ୍ଲୀ ଆଉ ପଞ୍ଜାବ ର ମଡେଲ୍ ଅନୁଯାୟୀ ଓଡିଶାକୁ ବି ସମାନ ଲୋଭ ଦେଖାଇ ଆପ୍ ଲାଗିଛି ଓଡ଼ିଶା ହାତେଇବା ପାଇଁ। ପାଣି,ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପ୍ ଦିଲ୍ଲୀ ଭଳି ଅନ୍ୟରାଜ୍ୟରେ ମଧ୍ୟ ଚେଷ୍ଟା ଚଳାଇଛି। ଆପ୍ ସରକାର ସବୁ ରାଜ୍ୟରେ ଆସିଲେ ନବେ ପ୍ରତିଶତ ସେବା ଗରିବ ଆଉ ସାଧାରଣ ଜନତାଙ୍କ ପାଇଁ ମାଗଣା କରିବ ବୋଲି ରାଜ୍ୟରେ ଥିବା ଆପ୍ ନେତାମାନେ ଦାବି କରୁଛନ୍ତି।
ହେଲେ ପ୍ରମୁଖ କଥା ଓଡିଶା ଭଳି ରାଜ୍ୟରେ ଆଉ ବିଜେଡି ଭଳି ସଶକ୍ତ ଦଳକୁ ମାତ୍ ଦେବାରେ ଆପ୍ କେତେ ସଫଳ ହେବ ତାହା କହିବା ମୁସ୍କିଲ। କାରଣ ଯେଉଁଠି ବିଜେପି ଆଉ କଂଗ୍ରେସ ଭଳି ଦଳ ମାଟି କାମୁଡି ତଳେ ପଡିଛନ୍ତି, ସେଠି ଆପ୍ ର୍ ଅବସ୍ଥା କଣ ହେବ ? ତାହା ନିର୍ବାଚନର ଫଳାଫଳ ହିଁ ସ୍ପଷ୍ଟ କରିବ ।