୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ୍

ସଂସ୍କାର : ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲିକ୍ ଏହି ଜାମିନ ପ୍ରଦାନ କରିଛନ୍ତି।

ଅଗଷ୍ଟ ୩୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାଖଲ ହୋଇଥିବା ଅତିରିକ୍ତ ଚାର୍ଜସିଟ୍ ବିଷୟ ବିଚାରକୁ ନେଇ ଅଭିନେତ୍ରୀଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ।ପୂର୍ବରୁ ଅନେକ ଥର ପଚରାଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଡକାଯାଇଥିବା ଫର୍ଣ୍ଣାଣ୍ଡିଜଙ୍କୁ ଅତିରିକ୍ତ ଚାର୍ଜସିଟରେ ପ୍ରଥମ ଥର ପାଇଁ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଇଡି ପୂର୍ବରୁ ଦାଖଲ କରିଥିବା ଚାର୍ଜସିଟରେ ତାଙ୍କୁ ଅଭିଯୁକ୍ତ ଭାବରେ ଉଲ୍ଲେଖ କରିନଥିଲା।

ଦୁଇ ଲକ୍ଷ ବ୍ୟକ୍ତିଗତ ମୁଚାଲିକାରେ ଅଭିନେତ୍ରୀଙ୍କୁ ଜାମିନ ମିଳିଛି । ଏହି ୩୮ ବର୍ଷୀୟା ଅଭିନେତ୍ରୀଙ୍କୁ ଜାମିନର ସମସ୍ତ ସର୍ତ୍ତ ମାନିବାକୁ ପଡ଼ିବ। ସୁକେଶ ଚନ୍ଦ୍ରଶେଖରଙ୍କ କଳା କାରନାମା ବିଷୟରେ ଅବଗତ ଥିଲେ ମଧ୍ୟ ସେ ତାଙ୍କ ଠାରୁ ଦାମୀ ଉପହାର ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ନାମିତ କରିଥିଲା।

ନଭେମ୍ବର ୧୦ ରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅନ୍ତରୀଣ ଜାମିନ ଅବଧି ଶେଷ ହୋଇଥିଲା। ତେବେ କୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷାକୁ ନଭେମ୍ବର ୧୪ ପର୍ଯ୍ୟନ୍ତ ବଢ଼ାଇଥିଲେ। ତାଙ୍କ ଜାମିନ ଆବେଦନ ଉପରେ ନଭେମ୍ବର ୧୧ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।

Leave a Reply

Your email address will not be published. Required fields are marked *