ସଂସ୍କାର : 2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି ବିଜେପିର ଚାଣକ୍ୟ ଆମିତ ଶାହା । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । 2023 ରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ଗୃହମନ୍ତ୍ରୀ ଅମିତ ଶାହା ବେଙ୍ଗାଲୁରୁରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି କହିଛନ୍ତି, କର୍ଣ୍ଣାଟକରେ ‘ଅସମ୍ପୂର୍ଣ୍ଣ ସରକାର’ ଗଠନ କରନ୍ତୁ ନାହିଁ, ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ କରନ୍ତୁ । 2023 କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ରଣନୀତି ଉପରେ ଅମିତ ଶାହା କହିଛନ୍ତି ଯେ ବିଜେପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ କର୍ଣ୍ଣାଟକରେ ମଧ୍ୟ ସରକାର ଗଠନ କରିବ ।
ଏହି ସମୟରେ ଶାହା ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି, କଂଗ୍ରେସ ପାଇଁ କ୍ଷମତା ପାଇବା ଦୁର୍ନୀତି କରିବାର ଏକ ମାଧ୍ୟମ, କିନ୍ତୁ ବିଜେପି ପାଇଁ ସତ୍ତା ହେଉଛି ଲୋକଙ୍କ ଜୀବନରେ ଉନ୍ନତି ଆଣିବା । ସେ କହିଛନ୍ତି ଯେ ନିକଟରେ ସାତୋଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପି 5 ଟି ରାଜ୍ୟରେ ଜିତିଥିବା ବେଳେ 6 ଟି ରାଜ୍ୟରେ କଂଗ୍ରେସର ମୂଳପୋଛ ହୋଇଯାଇଛି ।
ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପିରେ ଥିବା ଅସନ୍ତୁଷ୍ଟ ମାନଙ୍କୁ ମନାଇବାକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ସବୁଜ ସଂକେତ ଦେଇଛନ୍ତି ଅମିତ ଶାହା । ନୂଆ ମନ୍ତ୍ରିମଣ୍ଡଳରେ କେ.ଏସ ଈଶ୍ୱରପ୍ପା ଏବଂ ରମେଶ ଜାର୍କିହୋଲିଙ୍କ ପରି ଅସନ୍ତୁଷ୍ଟ ବିଧାୟକମାନଙ୍କୁ ସାମିଲ କରାଯିବ ।
ଶାହା ରାଜ୍ୟରେ ଥିବା ବୁଥସ୍ତରୀୟ କର୍ମୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ରାଜ୍ୟ ରାଜସ୍ୱ ମନ୍ତ୍ରୀ ଆର. ଅଶୋକ, ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର ଏବଂ ବିଜେପି ରାଷ୍ଟ୍ରୀୟ ସଚିବ ସିଟି ରବିଙ୍କ ଭଳି ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।
କେବଳ ଏତିକି ନୁହେଁ, ଗତ ଶୁକ୍ରବାରଦିନ ମାଣ୍ଡ୍ୟା ଜିଲ୍ଲାରେ ଅନୁଷ୍ଠିତ ଏକ ସରକାରୀ କାର୍ଯ୍ୟକ୍ରମରେ ଅମିତ ଶାହା ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ସହ ଗୋଟିଏ ମଞ୍ଚରେ ଦେଖାଦେଇଥିଲେ । ଏଥିରୁ ଆଗକୁ ନୂଆ ସମୀକରଣ ସଂପର୍କରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।