ଓ୍ୱାଶିଂଟନ: କରୋନାର ଭୟ ଏବଂ ଲକଡାଉନ କଟକଣା ଯୋଗୁ ଦେଶରେ ହଜାର ହଜାର ରୋଜଗାରହୀନ ହେଇ ଘରେ ବସିଛନ୍ତି । ଏ ସମୟରେ ଭାରତରେ ୧୦ ବିଲିୟନ ଡଲାର ଅର୍ଥାତ୍ ୭୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯାଉଛି ଗୁଗୁଲ୍ । ଗୁଗୁଲର ଏହି ଘୋଷଣା ଦେଶ ପାଇଁ ଏକ ଶୁଭ ସଙ୍କେତ । ଘୋଷଣାରେ ଗୁଗୁଲ୍ ପକ୍ଷରୁ କୁହାଯାଇଛି ଯେ ଏହି ପୁଞ୍ଜି ନିବେଶ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟକୁ ସଫଳ କରିବାକୁ ସହଯୋଗ କରିବ ।
ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଡିଜିଟାଲ ବୈଠକ ହୋଇଥିଲା ଯେଉଁଥିରେ ନାନା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ବୈଠକ ପରେ ପରେ ଗୁରୁଲ ଘୋଷଣା କଲା ଯେ ସେ ନିବେଶ କରିବାକୁ ଯାଉଥିବା ପୁଞ୍ଜି ଭାରତର ଚାଷୀ, ଯୁବକ ଏବଂ ଉଦ୍ୟୋଗୀଙ୍କ ଜୀବନ ପରିବର୍ତ୍ତନ ପାଇଁ ଆବଶ୍ୟକ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେବ । ଏ ବାବଦରେ ପ୍ରଧାନମନ୍ତ୍ରୀ ଟ୍ଵିଟ କରି କହିଛନ୍ତି ଯେ ଆଜି ସକାଳେ ସୁନ୍ଦର ପିଚାଇଙ୍କ ସହିତ ହୋଇଥିବା ଆଲୋଚନା ସଫଳ ହୋଇଛି ଏବଂ ଆଲୋଚନାରେ ନାନା ପ୍ରସଙ୍ଗ ଉପରେ ଆଲୋକପାତ ହୋଇଛି ।
ସୂଚନା ଥାଉ କି ଗୁଗୁଲ୍ ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇ ଭାରତୀୟ ବଂଶୋଦ୍ଭବ ଯିଏ ବର୍ତ୍ତମାନ ସମୟରେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । କରୋନା ମହାମାରୀ ପାଇଁ ଗୁଗୁଲ୍ ଫର୍ ଇଣ୍ଡିଆ ବାର୍ଷିକ କାର୍ଯ୍ୟକ୍ରମ ଭର୍ଚୁଆଲ୍ ଢ଼ଙ୍ଗରେ ଆୟୋଜିତ ହେଉଛି ।